କେବଳ ୧୦,୦୦୦ରୁ ଆରମ୍ଭ ହୋଇ ୩ ଲକ୍ଷ କୋଟିରେ ପହଞ୍ଚିଥିବା ଇନଫୋସିସର କାହଣୀ


ଦେଶର ସର୍ବବୃହତ ଆଇଟି କମ୍ପାନୀ ଇନଫୋସିସର ନାମ ତ ସମସ୍ତେ ଶୁଣିଥିବେ । ସଫଳ ଆଇଟି କମ୍ପାନୀ ଗୁଡିକ ମଧ୍ୟରୁ ଇନଫୋସିସ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛି । ତେବେ ଆପଣ ଜାଣିଛନ୍ତି କି କିପରି ଏହି କମ୍ପାନୀର ପ୍ରତିଷ୍ଠା କିପରି ହୋଇଥିଲା ଏବଂ ଏହାର ପ୍ରତିଷ୍ଠାତା କିଏ ? । ଏହାର ପ୍ରତିଷ୍ଠାତା ହେଉଛନ୍ତି ଏନ ଆର ନାରାୟଣମୂର୍ତ୍ତି । ସେ ଉଦ୍ଧାର ଟଙ୍କାରେ ଏହି କମ୍ପାନୀକୁ ପ୍ରତିଷ୍ଠା କରିଥିଲେ ।
ସମସ୍ତେ ଏହି ସତ୍ୟତାକୁ ଜାଣିନଥିଲେ ମଧ୍ୟ ଏହା ହେଉଛି ନିରାଟ ସତ୍ୟ । ତେବେ ଆସନ୍ତୁ ଜାଣିବା ଉଦ୍ଧାର ଟଙ୍କାରେ ଏନ ଆର ନାରାୟାଣମୂର୍ତ୍ତି କିଭଳି ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଛିଡା କରିବାରେ ସଫଳ ହୋଇଥିଲେ ।
୨୦ ଅଗଷ୍ଟ ୧୯୪୬ରେ କର୍ଣ୍ଣାଟକର ମହୀଶୂରରେ ଜନ୍ମ ଗ୍ରହଣ କରିଥିଲେ ନାରାୟଣମୂର୍ତ୍ତି । ସେ ମହୀଶୂର ବିଶ୍ୱ ବିଦ୍ୟାଳୟରେ ଇଞ୍ଜିନିୟରଂ ପାଠପଢା ପଢିଥିଲେ ଏବଂ ପରେ ୧୯୬୯ରେ ଆଇଆଇଟି କାନପୁରରେ ମାଷ୍ଟର ଅଫ ଟେକ୍ନୋଲଜିରେ ପାଠ ପଢା ଶେଷ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ହୋଇଥିବା ସହ ଜଣେ ମଧ୍ୟବିତ ପରିବାରରୁ ଜନ୍ମ ଗ୍ରହଣ କରିଥିବା ହେତୁ ତାଙ୍କ ପାଠପଢାରେ ଅନେକ ବାଧା ଉପୁଜିଥିଲା, ଯାହା ଫଳରେ ପଢାର ସମସ୍ତ ଖର୍ଚ୍ଚ ତାଙ୍କ ଶିକ୍ଷକ ବହନ କରିଥିଲେ ।
ଆଉ ତା’ପରେ ସେ ତାଙ୍କର କ୍ୟାରିୟର ପୁଣେରୁ ଆରମ୍ଭ କରିଥିଲେ । ସେ ନିଜର ଦୁଇ ବନ୍ଧୁ ଶଶିକାନ୍ତ ଏବଂ ପ୍ରଫେସର କ୍ରିଷ୍ଣାଙ୍କ ସହ ମିଶି ୧୯୭୫ରେ ପୁଣେରେ ସିଷ୍ଟମର ରିସର୍ଚ୍ଚ ଇଷ୍ଟିଚ୍ୟୁଟର ସ୍ଥାପନା କରିଥିଲେ । ତେବେ ସେ କମ୍ପାନୀ ସହ ବେଶୀ ଦିନ ପର୍ଯ୍ୟନ୍ତ କାମ କରିପାରିନଥିଲେ ।
ଏହା ପରେ ୧୯୮୧ରେ ନାରାୟାଣମୂର୍ତ୍ତି ୬ ଜଣ ଇଞ୍ଜିନିୟରଙ୍କ ସହ ମିଶି ପୁଣେରେ ଆଇଟି କମ୍ପାନୀ ଇନଫୋସିସ ଆରମ୍ଭ କରିଥିଲେ । ଆଉ ସେତେବେଳେ ତାଙ୍କ ପାଖରେ ଟଙ୍କା ବି ନଥିଲା । ତେଣୁ ସେହି ସମୟରେ ଏନ ଆର ନାରାୟଣମୂର୍ତ୍ତି ଟାଟା ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ନିଜ ପତ୍ନୀ ସୁଧା ନାରାୟଣମୂର୍ତ୍ତିଙ୍କ ଠାରୁ ୧୦,୦୦୦ ଟଙ୍କା ଉଦ୍ଧାର ଆଣିଥିଲେ । ପ୍ରଥମେ ସେ ନିଜ କାର୍ଯ୍ୟାଳୟ ନିଜ ଘରେ ହିଁ ସ୍ଥାପନ କରିଥିଲେ । କିଛି ଦିନ ଗଲା ପରେ ନାରାୟଣମୂର୍ତ୍ତି ନିଜ କମ୍ପାନୀକୁ ପୁଣେରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରିଦେଇଥିଲେ ।
ସେବେ ଠାରୁ ନାରାୟଣମୂର୍ତ୍ତି ଆଉ ପଛକୁ ଫେରି ନାହାନ୍ତି । କମ୍ପାନୀ ଦିନକୁ ଦିନକୁ ବଢିବାରେ ଲାଗିଲା ଏବଂ ୬ ଜଣଙ୍କ ଠାରୁ ଆରମ୍ଭ ହୋଇଥିବା କମ୍ପାନୀରେ ବର୍ତ୍ତମାନ ୫୦,୦୦୦ରୁ ଉର୍ଦ୍ଧ କର୍ମଚାରୀ ଅଛନ୍ତି । ଏହା ସହ କମ୍ପାନୀ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ନିଜ ଶାଖା ଖୋଲିବାରେ ସଫଳ ହୋଇଛି । କମ୍ପୀନ ୧୨ଟି ଦେଶରେ ନଜର ଶାଖା ଖୋଲିବା ସହ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛି ।

କମ୍ପାନୀର ପ୍ରଗତିରେ ଅନେକ ବାଧା ବିଘ୍ନ ଆସିବା ସତ୍ତେ୍ୱ ନାରାୟଣମୂର୍ତ୍ତିଙ୍କ ଦୃଢ ଇଚ୍ଛା ଶକ୍ତି ଆଗରେ ତାହା ସବୁ ହାର ମାନିଯାଇଛି । ଏବେ କମ୍ପାନୀର ବାର୍ଷିକ ଆୟ ୩ ଲକ୍ଷ କୋଟିରୁ ଉର୍ଦ୍ଧ ରହିଛି । ନାରାୟାଣମୂର୍ତ୍ତି ୧୯୮୧ରୁ ୨୦୦୨ ପର୍ଯ୍ୟନ୍ତ କମ୍ପାନୀର ସିିଇଓ ଥିବାବେଳେ ୨୦୧୧ ପର୍ଯ୍ୟନ୍ତ କମ୍ପାନୀର ଚେୟାରପର୍ସନ ଏବଂ ମେଣ୍ଟର ଦାୟିତ୍ୱରେ ଥିଲେ । ଏହା ସହ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଚେୟାରପର୍ସନ ଏମିରେଟ୍ସ ମଧ୍ୟ ଥିଲେ । ତାଙ୍କୁ ପଦଶ୍ମୀ ଏବଂ ପଦ୍ମଭୂଷଣ ଭଳି ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ସେ ବର୍ତ୍ତମାନ ଅବସର ଗ୍ରହଣ କରିସାରିଛନ୍ତି । ତାଙ୍କ ସମ୍ପତିର ମୂଲ୍ୟ ବର୍ତ୍ତମାନ ୧୩୯୦୦ କୋଟି ରହିଛି ।


Share It

Comments are closed.