୧୫ ଏପ୍ରିଲ ପରଠାରୁ ଆରମ୍ଭ ହୋଇପାରେ ପୁଣିଥରେ ରେଳସେବା


୨୧ ଦିନ ଲକଡାଉନ ପରେ ଆସନ୍ତା ୧୫ ଏପ୍ରିଲରୁ ଅଧିକାଂଶ ରେଳ ସେବା ଆରମ୍ଭ କରିବା ପାଇଁ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ରେଳ ବିଭାଗ ପ୍ରଶାସନ ପକ୍ଷରୁ ଡ୍ରାଇଭର, ଗାର୍ଡ, ଷ୍ଟେସନ ମ୍ୟାନେଜର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଟ୍ରେନର ସମୟସୀମା ମଧ୍ୟ ପଠାଇ ଦିଆଯାଇଛି । ୧୭ଟି ଜୋନାଲ ରେଲୱେ ପକ୍ଷରୁ ବାତିଲ ହୋଇଥିବା ଟ୍ରେନ ଗୁଡିକୁ ଚଳାଇବା ପାଇଁ ପ୍ରସ୍ତୁତ ରହିବାକୁ ରେଲୱେ ବିଭାଗ ପକ୍ଷରୁ ଆଦେଶ ଦିଆଯାଇଛି । ଏଥିପାଇଁ ଉତ୍ତର ରେଲୱେ ପକ୍ଷରୁ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ୨୪୪ଟି ଟ୍ରେନର ସମୟ ନିର୍ଘଣ୍ଟପଠାଇଦେଇଛି ।
ଉତ୍ତର ରେଲୱେ ପାଖରେ ବର୍ତ୍ତମାନ ୭୭ଟି ଟ୍ରେନ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଡ୍ରାଇଭର, ସହ-ଡ୍ରାଇଭର, ଗାର୍ଡ, ଟିଟିଆଇ, ଷ୍ଟେସନ ମ୍ୟାନେଜର ଆଦିଙ୍କୁ ଆଗାମୀ ୧୫ ଏପ୍ରିଲ ପର ଠାରୁ ଟ୍ରେନ ଚଳାଇବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୮୦ ଭାଗରୁ ଅଧିକ ଟ୍ରେନ ଚଳାଇବା ପାଇଁ ଆଦେଶ ଜାରି କରାଯାଇଛି । ଏଥିରେ ସମସ୍ତ ରାଜଧାନୀ, ଶତବ୍ଦୀ, ଦୁରନ୍ତ, ସୁପରଫାଷ୍ଟ, ମେଲ-ଏକ୍ସପ୍ରେସ ଏବଂ ପ୍ୟାସେଞ୍ଜର ଟ୍ରେନ ମଧ୍ୟ ସାମିଲ ରହିଛି ।
ଏହି ସମସ୍ତ ଟ୍ରେନ ଏପ୍ରିଲ ୧୪ ରାତି ୧୨ଟା ପରଠାରୁ ରେଳଲାଇନରେ ଚାଲିବା ଆରମ୍ଭ ହୋଇଯିବ । ଦୀର୍ଘ ଦୂରତା ବ୍ୟତୀତ ସ୍ଥାନୀୟ ଏବଂ ଯାତ୍ରୀବାହୀ ଟ୍ରେନ ମଧ୍ୟ ଆବଶ୍ୟକତା ଅନୁଯାୟୀ ଚାଲିବ । ଅଧିକାରୀ ଜଣକ କହିଛନ୍ତି ଯେ, ୨୧ ଦିନ ଲକଡାଉନ ପରେ ରେଳ ପ୍ରଶାସନ ରେଳ ସେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ସବୁଠାରୁ ମୁଖ୍ୟ କଥା ହେଲା ଏଥିପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ସବୁଜ ସଙ୍କେତର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ, ୧୩,୫୨୪ଟି ଟ୍ରେନ ମଧ୍ୟରୁ ୩, ୬୯୫ଟି ଟ୍ରେନ ଦୀର୍ଘ ଯାତ୍ରା ବିଶିଷ୍ଟ ମେଲ-ଏକ୍ସପ୍ରେସ ଅଟେ । ଯଦି କେନ୍ଦ୍ର ସରକାର କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ଟ୍ରେନ ଚଲାଇବା ପାଇଁ ଆଦେଶ ଦେବା ତେବେ ତାହା ହିଁ ହେବ ।


Share It

Comments are closed.