ଆଜି ପ୍ରଥମ ଦିନିକିଆ: ଟି-ଟ୍ୱେଣ୍ଟି ପରେ ଦିନିକିଆ ସିରିଜ ଉପରେ ଟିମ୍‌ ଇଣ୍ଡିଆ ନଜର


ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଭାରତର ନଜର ଏବେ ଦିନିକିଆ ସିରିଜ ଉପରେ । ଓଭାଲ ଗ୍ରାଉଣ୍ଡରୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ପ୍ରସ୍ତୁତ ରହିଛି ।

ଆସନ୍ତା ବର୍ଷ ରହିଛି ଦିନିକିଆ ବିଶ୍ୱକପ୍‌ । ଏବେଠୁ ଉପଯୁକ୍ତ ଦଳ ପ୍ରସ୍ତୁତ କରିବାର ସମୟ । ତେଣୁ ଭାରତ ଏକାଦଶ ଚୟନକୁ ନେଇ ପରୀକ୍ଷା ନୀରିକ୍ଷା କରିବା ନିଶ୍ଚିତ । ଘରୋଇ ଇଂଲଣ୍ଡ ବେଶ୍‌ ଶକ୍ତିଶାଳୀ । ସେମାନେ ବିଶ୍ୱ ଚାମ୍ପିଅନ । ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ପୂର୍ବରୁ କିଛି ଦିଗରେ ଭାରତ ନଜର ଦେବା ସ୍ୱାଭାବିକ । ବିଶେଷ କରି ବ୍ୟାଟିଂ ବିଭାଗକୁ ନେଇ ଅନେକ ତର୍ଜମା ହେବ ।

ଦିନିକିଆ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ମୁଖ୍ୟ ପ୍ରସଙ୍ଗ ରହିବ । ୨୦୧୯ ପରଠୁ କୋହଲିଙ୍କ ବ୍ୟାଟ୍‌ରୁ ଶତକ ବାହାରି ନାହିଁ । ଦିନକୁ ଦିନ ତାଙ୍କ ପ୍ରଦର୍ଶନରେ ଅବନତି ଘଟୁଛି । ତଥାପି ଦିନିକିଆ ଫର୍ମାଟ୍‌ରେ ସେ କମାଲ ଦେଖାଇବେ ବୋଲି ଆଶା । ଶେଷ ୧୧ଟି ଦିନିକଆରେ କୋହଲି ୪ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ତାଙ୍କ ପ୍ରତି କୋଚ୍‌ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ଯଥେଷ୍ଟ ସମର୍ଥନ ରହିଛି । ବର୍ତ୍ତମାନ ତାଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ଶିଖର ଧାୱନ ଫେରିଥିବାରୁ ମଧ୍ୟକ୍ରମରେ ସ୍ଥାନ ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ । ୨୪ଟି ମ୍ୟାଚ୍‌ ଖେଳି ଆୟର ୪୧ ହାରରେ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ଦଳରେ ସେ ପ୍ରଥମ ଦାବିଦାର । କିନ୍ତୁ ଫିଟ୍‌ ହୋଇ ଫେରିବା ପରଠୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ତାଙ୍କ ଅନୁପସ୍ଥିତିରେ ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଓ ସଞ୍ଜୁ ସାମସନ ଅନ୍ୟ ଦାବିଦାର ରୂପେ ବାଟ ଓଗାଳିଛନ୍ତି । ଦିନକ ତଳେ ସୂର୍ଯ୍ୟକୁମାର ଦର୍ଶନୀୟ ଶତକ ଅର୍ଜନ କରିଛନ୍ତି । ତେଣୁ ତାଙ୍କୁ ପ୍ରାଥମିକତା ମିଳିବା ଆଶା କରାଯାଇପାରେ ।

ଆଜିର ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବା ନିଶ୍ଚିତ । ଫିଟ୍‌ ହୋଇ ଫେରିବା ଦିନଠୁ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବର୍ତ୍ତମାନ ଟି-ଟ୍ୱେଣ୍ଟିର ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାର ସମୟ । ଟିମ ମ୍ୟାନେଜମେଣ୍ଟ ମଧ୍ୟ ଭାବି ଚିନ୍ତି ତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ୧୦ ଓଭର ବୋଲିଂ କରିବା ଭଳି ଫିଟ୍‌ନେସ୍‌ ଅଛି କି ନାହିଁ, ତାହା ଏହି ସିରିଜରେ ସ୍ପଷ୍ଟ ହୋଇଯିବ।

ଯୁବ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସ୍ଥାନ ମିଳିଛି । ମ୍ୟାଚ୍‌ରେ ବୁମରା ଓ ମହମ୍ମଦ ସାମି ପେସ୍‌ ବିଭାଗ ସମ୍ଭାଳିବେ । ତୃତୀୟ ପେସ୍‌ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ, ସର୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଅର୍ଶଦୀପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ୭ଟି ଦିନିକିଆ ଖେଳି ସେ ୧୮ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଇଂଲଣ୍ଡରେ ସେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ସମ୍ଭାବ୍ୟ ଦଳ
ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସୁର୍ଦଲ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

ଇଂଲଣ୍ଡ ଦଳ : ଜୋସ ବଟଲର (ଅଧିନାୟକ), ମୋଇନ ଅଲି, ଜନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ୍ସ, ବ୍ରାଏଡନ କାର୍ସ, ସାମ କୁରାନ, ଲାଏମ ଲିଭଙ୍ଗଷ୍ଟୋନ, କ୍ରେଗ ଓଭରଟନ, ମାଟ ପାର୍କିନସନ, ଜୋ ରୁଟ୍‌, ଜାସନ ରୟ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ରିସ ଟପଲି, ଡେଭିଡ୍‌ ୱିଲି ।


Share It

Comments are closed.