ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ୨୩୬ ଆକ୍ରାନ୍ତ


ଭାରତରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଭାରତରେ ଶୁକ୍ରବାର ଗୋଟିଏ ଦିନରେ ୪୨ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୨୩୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୨୦୪ ଭାରତୀୟ ହୋଇଥିଲା ବେଳେ ୩୨ ବିଦେଶୀ ନାଗରିକ ଅଛନ୍ତି । ୨୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଯାଇଛନ୍ତି । ସେହିଭଳି ୨୦ଟି ରାଜ୍ୟକୁ କରୋନା କବଳିତ କରିିସାରିଲାଣି । ସେଥିରେ ମହାରାଷ୍ଟ୍ରରେ ସର୍ବାଧିକ ୫୨ ରୋଗୀ ରହିଥିଲା ବେଳେ କେରଳରେ ୨୮, ଉତ୍ତରପ୍ରଦେଶରେ ୨୩, ରାଜସ୍ଥାନରେ ୧୭, ଦିଲ୍ଲୀରେ ୧୭, ତେଲଙ୍ଗାନାରେ ୨୦, ହରିଆଣାରେ ୧୭, କର୍ଣ୍ଣାଟକରେ ୧୫, ଲଦାଖରେ ୧୦, ଗୁଜରାଟରେ ୭, ଜମ୍ମୁ-କାଶ୍ମୀରରେ ୪, ମଧ୍ୟପ୍ରଦେଶରେ ୪, ଆନ୍ଧ୍ରପ୍ରଦେଶରେ ୩, ତାମିଲନାଡୁରେ ୩, ଉତ୍ତରାଖଣ୍ଡରେ ୩, ପଶ୍ଚିମବଙ୍ଗରେ ୨, ପଞ୍ଜାବରେ ୨, ଓଡ଼ିଶାରେ ୨ ଏବଂ ଚଣ୍ଡିଗଡ, ଛତିଶଗଡ ଓ ପୁଡୁଚେରୀରେ ଜଣେ ଲେଖାଏ ରୋଗୀ ଚିହ୍ନଟ କରାଯାଇଛି ।

ଇତିମଧ୍ୟରେ କରୋନା ସଂକ୍ରମଣିତ ହୋଇଥିବା ଇଟାଲୀର ଜଣେ ପର୍ଯ୍ୟଟକଙ୍କର ଶୁକ୍ରବାର ଜୟପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ଭାରତରେ କରୋନା ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେଥିରେ ୪ ଜଣ ଭାରତୀୟ ନାଗରିକ ଥିଲା ବେଳେ ଜଣେ ବିଦେଶୀ ଅଛନ୍ତି । ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ଓ ଦିଲ୍ଲୀର ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏହି ଇଟାଲୀ ଦମ୍ପତି ସ୍ପେନରୁ ଦୁବାଇ ଦେଇ ମାର୍ଚ୍ଚ ୧୭ରେ ଦିଲ୍ଲୀରେ ପହଞ୍ଚିଥିଲେ । ବୁଧବାର ସେମାନେ ଟ୍ୟାକ୍ସିରେ ଜୟପୁର ଆସିଥିଲେ । ସେମାନେ ହୋଟେଲରେ ରହୁଥିବା ଜାଣିବା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କୁ ସାୱଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୁରୁବାର ସେମାନେ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା । ତେବେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।


Share It

Comments are closed.