ଅଦମ୍ୟ ପରିଶ୍ରମ କରି, ସାଇକେଲ ଦୋକାନୀ ହେଲେ ଆଇଏଏସ ଅଧିକାରୀ


ଦୃଢ ମନୋବଳ ସର୍ବଦା ମଣିଷକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ । ଏହି ମନୋବଳ ଆଗରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟ ହାର ମାନିଥାଏ । ନିକଟରେ ଏହା ସତ୍ୟ ପ୍ରମାଣିତ କରିଦେଖାଇଛନ୍ତି ଆଇଏଏସ ଅଧିକାରୀ ବରୁଣ ବାର୍ନୱାଲ’ ।

‘ସ୍ୱପ୍ନରେ ସୁଧା ଏହା ଭାବିନଥିଲି ଯେ, ମୁଁ ଏଠାରେ ଆସି ପହଞ୍ଚିବି । ମୋତେ ଲାଗୁଥିଲା କେବଳ ସାଇକେଲରେ ପମ୍ପଚର ମାରିବା ହିଁ ମୋ ମୂଳ କାମ’ ଏହା କହିଛନ୍ତି ଆଇଏଏସ ‘ବରୁଣ ବାର୍ନୱାଲ’ । ବାପାଙ୍କ ବିୟୋଗ ପରେ ଆମେ ଆର୍ଥିକ ସମସ୍ୟା ସହ ଜର୍ଜରିତ ହେଉଥିବା ସତ୍ତେ୍ୱ ମୁଁ ଏହି ଲକ୍ଷ୍ୟ ହାସଲ କରିପାରିଛି ।
ମହାରାଷ୍ଟ୍ରର ଏକ ଛୋଟ ଗାଁ ବୋଇସରାରେ ରହୁଥିବା ବରୁଣ ବାର୍ନୱାଲଙ୍କ ଅତୀତ ଅତି ସଂଘର୍ଷପୂର୍ଣ୍ଣ ଥିଲା । ତାଙ୍କର ବାପାଙ୍କର ଏକ ସାଇକେଲ ପମ୍ପଚର ଦୋକାନ ଥିଲା, ଯେଉଁଥିରେ ତାଙ୍କ ଘରର ଭରଣପୋଷଣ ମେଣ୍ଟୁ ଥିଲା । ବରୁଣ ୧୦ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ବାପାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଥିଲା । ଏହା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲା । ବରୁଣ ପରିବାରରେ ସବୁଠାରୁ ବଡ ପୁଅ ହୋଇଥିବା ହେତୁ ଘରର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଯାଇଥିଲା ।

ଏହା ପରେ ବରୁଣ ବାପାଙ୍କ କାମ ଧିରେ ଧିରେ ସମ୍ଭାଳିବାକୁ ଲାଗିଲେ । ଯାହା ଫଳରେ ସେ ନିଜ ପାଠପଢା ଛାଡିି ବାପାଙ୍କ ପମ୍ପଚର ଦୋକାନ ଖୋଲି କାମ କରିବାକୁ ଲାଗିଲେ । କିନ୍ତୁ ବରୁଣଙ୍କ ମନ ପାଠପଢା ଛଡା ଆଉ କେଉଁଥିରେ ଲାଗୁ ନଥିଲା ।
ବରୁଣ ୧୦ମ ପରୀକ୍ଷାରେ ସହରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ସତ୍ତେ୍ୱ ଆର୍ଥିକ ଅଭାବ ହେତୁ ତାଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଥିଲା । କିନ୍ତୁ କଥାରେ ନାହିଁ, ‘ଯଦି ଆପଣ କୌଣସି ଜିନିଷକୁ ଅନ୍ତରରୁ ଚାହିଁଥିବେ, ତେବେ ସବୁ ଶକ୍ତି ଆପଣଙ୍କୁ ତା ସହ ମିଳାଇବା ପାଇଁ ଲାଗିପଡିଥାଏ । ’ ଠିକ ଏହିଭଳି ବରୁଣଙ୍କ ସହ ଏକ ଘଟଣା ଘଟିଥିଲା । ବରୁଣ ପାଠପଢା ପ୍ରତି ଥିବା ଇଚ୍ଛାକୁ ଦେଖି ତାଙ୍କ ବାପାଙ୍କ ଜଣେ ଡାକ୍ତରୀ ବନ୍ଧୁ ତାଙ୍କ ସମସ୍ତ ପାଠପଢାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ଏବଂ ତାଙ୍କୁ ଆହୁରୀ ଆଗକୁ ବଢିବା ପାଇଁ ସୁଯୋଗ ଦେଇଥିଲେ ।

ନିଜ ପରିବାର, ସାଙ୍ଗ ଏବଂ କଲେଜର ସହଯୋଗରେ ବରୁଣ ନିଜ ପାଠପଢା ଜାରୀ ରଖିଥିଲେ । ଯାହା ଫଳରେ ସେ କଲେଜରେ ସେମିଷ୍ଟାରର ପ୍ରଥମ ପରୀକ୍ଷାରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ । ଏହା ପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ କଲେଜ ତରଫରୁ ସ୍କଲାରସିପ ପ୍ରଦାନ କରାଯାଇଥିଲା ।
ସେ ଇଞ୍ଜିନିୟରିଙ୍ଗ ପାସ କରିବା ପରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରି ଦେଇଥିଲେ । ଦୀର୍ଘ ୮ ମାସର କଠୋର ପରିଶ୍ରମ ପରେ ବରୁଣ ୟୁପିଏସସି ପରୀକ୍ଷାରେ ଦେଶରେ ୩୨ତମ ସ୍ଥାନ ହାସଲ କରିଥିଲେ ।


Share It

Comments are closed.