ପିଲାମାନଙ୍କୁ ସ୍ମାର୍ଟଫୋନ ଠାରୁ ଦୂରେଇ ରଖିବାର ଉପାୟ, ଜାଣନ୍ତୁ


ବର୍ତ୍ତମାନ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ ରହିଛି ଯାହାକି ସମ୍ପର୍କ ସ୍ଥାପନ କରିବାର ଏକ ମାତ୍ର ପନ୍ଥା ହୋଇଛି । ସମସ୍ତେ ହ୍ୱାଟସ ଅପ, ଫେସବୁକ, ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ, ଗେମ ଏବଂ ଆପ ସହିତ ବ୍ୟସ୍ତ । ପୂର୍ବରୁ ହିସାବ କରିବା ପଇଁ କାଲକୁଲେଟର ବ୍ୟବହାର କରାଯାଉଥିବାବେଳେ ବର୍ତ୍ତମାନ ତାହାର କାମ ମୋବାଇଲ କରୁଛି । କେବଳ କାଲକୁଲେଟର ନୁହେଁ କ୍ୟାଲେଣ୍ଡର, ଡିକ୍ସିନାରୀ, ଫଟୋ ଆଲବମର ଏକମାତ୍ର ବିକଳ୍ପ ହେଉଛି ସ୍ମାର୍ଟଫୋନ । ସେହି ପରିସ୍ଥିତିରେ ଘରେ ଘରେ ଛୋଟ ପିଲମାନଙ୍କର ମଧ୍ୟ ସ୍ମାର୍ଟଫୋନ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସ୍ୱାଭାବିକ । କିନ୍ତୁ ଏଇ ସ୍ମାର୍ଟଫୋନ ଛୋଟ ପିଲାଙ୍କ ମାନସିକତାରେ ଏପରି ପରିବର୍ତ୍ତନ ଆଣୁଛି ଯାହା ଭବିଷ୍ୟତରେ ବହୁ ସମସ୍ୟା ସୃଷ୍ଟି କରୁଛି । ପିଲାମାନେ ଖୁବ ଛୋଟ ବୟସରୁ ବଡ ପିଲା ପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଏବଂ ଚିଡିଚିଡା, ଏକଜିଦିଆ ହେବା ସହିତ କିଏ କିଏ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏଥିରେ କେବଳ ସ୍ମାର୍ଟଫୋନ ଦାୟୀ ବୋଲି ଆମ୍ଭେମାନେ କହି ପାରିବା ନାହିଁ କିନ୍ତୁ କିଛି ପରିମାଣରେ ଏହାର କୁପ୍ରଭାବ ରହିଛି ଯାହା ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିଛି । ତେଣୁ ସମୟ ଥାଉ ଥାଉ ଏହାର ନିରାକରଣ କରିବା ଖୁବ ଆବଶ୍ୟକ ।
ପିଲାମାନଙ୍କୁ ସ୍ପୋର୍ଟସ କ୍ଲବରେ ସାମିଲ କରାନ୍ତୁ – ପିଲାମାନେ ସାଧାରଣତଃ ଅଧିକ ସମୟ ଫ୍ରି ରହିଲେ ପିତାମାତାଙ୍କ ସ୍ମାର୍ଟଫୋନ ଧରି ଗେମ ହେଉ କିମ୍ବା ଇଣ୍ଟରନେଟ ସର୍ଫ କରିଥାନ୍ତି । ତେଣୁ ଆପଣ ତାଙ୍କୁ ସବୁବେଳେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ନିଜ ପିଲାଙ୍କୁ ସ୍ପୋର୍ଟସ କ୍ଲବ ତଥା ସ୍ୱିମିଙ୍ଗ, ଟେନିସ, ବ୍ୟାଟମିଣ୍ଟନ, କ୍ରିକେଟ ଇତ୍ୟାଦିରେ ବ୍ୟସ୍ତ ରଖିପାରିବେ । କିମ୍ବା ଗୀତ ଏବଂ ନୃତ୍ୟ ପ୍ରତି ଆଗ୍ରହ ଥିବା ପିଲାମାନଙ୍କୁ ସେମାନଙ୍କ ଆଗ୍ରହ ଅନୁଯାୟୀ କ୍ଲାସକୁ ପଠାଇପାରିବେ ।
ପିଲାମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ – ଯଦି ଆପଣଙ୍କ ପିଲାମାନଙ୍କ ଠାରୁ ମୋବାଇଲ ଛଡାଇବା କଷ୍ଟକର ହୋଇଯାଉଛି ତେବେ ଆପଣ କିଛି କୌଶଳ କରି ମୋବାଇଲ ଦୂରେଇ ଦିଅନ୍ତୁ ଏବଂ ସେମାନଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । ସେମାନଙ୍କୁ ତାଙ୍କ ଦିନ ଭରିର କାର୍ଯ୍ୟକଳାପ ଏବଂ ସୂଚୀ ସମ୍ପର୍କରେ ପଚାରି ବୁଝନ୍ତୁ । ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ନିଜର କିଛି ମଜାଦାର ମେମୋରି ସୋମାନଙ୍କ ସହିତ ସେୟାର କରନ୍ତୁ ।
ପିଲାମାନଙ୍କ ପାଇଁ ଏକ ଉଦାହରଣ ହୁଅନ୍ତୁ – ବହୁ ସ୍ଥଳରେ ଦେଖାଯାଇଥାଏ କି ପିତାମାତା ବହୁ ସମୟ ଧରି ସ୍ମାର୍ଟଫୋନର ବ୍ୟବହାର କରିଥାନ୍ତି ତେଣୁ ସେମାନଙ୍କ ପିଲାମାନେ ମଧ୍ୟ ମୋବାଇଲ ଧରି ଗେମ କିମ୍ବା ଇଣ୍ଟରନେଟ ସର୍ଚର୍ କରିବାକୁ ପଛାନ୍ତି ନାହିଁ । ତେଣୁ ଆପଣଙ୍କୁ ନିଜ ପିଲାର ଭଲ ଭବିଷ୍ୟତ ପାଇଁ ସ୍ମାର୍ଟଫୋନର ବ୍ୟବହାର କମ କରିବାକୁ ପଡିବ । କେବଳ ଆବଶ୍ୟକ ସ୍ଥଳେ ଆପଣ ସ୍ମାର୍ଟଫୋନର ବ୍ୟବହାର କରିପାରିବେ । ଯଦି ଆପଣଙ୍କ ପ୍ରଫେସନରେ ମୋବାଇଲ ଫୋନର ବହୁଳ ବ୍ୟବହାର ଆବଶ୍ୟକ ତେବେ ଆପଣ ନିଜ ପିଲାମାନଙ୍କୁ ବାହାରକୁ ଖେଳିବାକୁ ଛାଡି ମୋବାଇଲର ବ୍ୟବହାର କରିପାରିବେ ।
ପିଲାମାନଙ୍କୁ ସଚେତନ କରନ୍ତୁ – ପିଲାମାନେ କୋମଳମନା ତେଣୁ ମୋବାଇଲରେ ଯାହା ଦେଖିଲେ ସେମାନଙ୍କ ମନରେ ତାହା ତତକ୍ଷଣାତ୍ ପ୍ରଭାବ ପକାଇଥାଏ । ତେଣୁ ତାଙ୍କୁ ସର୍ବଦା ଅତିରିକ୍ତତାର କରାପ ପ୍ରଭାବ ସମ୍ପର୍କରେ ବୁଝାନ୍ତୁ । ନ୍ୟୁଜ ପେପରରେ ମୋବାଇଲ ସମ୍ବନ୍ଧୀୟ ତଥ୍ୟ ବାହାରୁଥିଲେ ସେମାନଙ୍କୁ ସେଗୁଡିକ ସମ୍ପର୍କରେ ସଚେତନ କରାନ୍ତୁ ।
ପାସୱାର୍ଡ ସେଟ କରନ୍ତୁ – ମୋବାଇଲର ଉଭୟ ସୁ ଏବଂ କୁ ପ୍ରଭାବ ରହିଛି । ପିଲମାନଙ୍କ କ୍ଷେତ୍ରରେ ମୋବାଇଲର ବ୍ୟବହାରର ଅଭ୍ୟାସକୁ ଦୂର କରିବା ପାଇଁ ଆପଣ ମୋବାଇଲରେ ପାସୱାର୍ଡ ସେଟ କରନ୍ତୁ ଯାହା ଦ୍ୱାରା ସେମାନେ ମୋବାଇଲ ସହଜରେ ଖୋଲିପାରିବେ ନାହିଁ । ଏବଂ ବିରକ୍ତ ହୋଇ ମୋବାଇଲ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ ।


Share It

Comments are closed.