ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଲେ ପାଣ୍ଡିଆ


ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ “କଫି ଉଇଥ କରଣ”ରେ ମହିଳାଙ୍କୁ ଘୃଣା ଏବଂ ତାଙ୍କ ସମ୍ବନ୍ଧରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ପାଇଁ ଭୁଲ ମାଗିଛନ୍ତି । ପାଣ୍ଡିଆଙ୍କ ଏହି ବିବାଦୀୟ ବୟାନ ଯୋଗୁଁ ତାଙ୍କ ବିରୋଧରେ ବିସିସିଆଇ ପକ୍ଷରୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, “ସୋ’ରେ ହାର୍ଦିକ ମହିଳାମାନଙ୍କୁ ନେଇ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେଥିପାଇଁ ବିସିସିଆଇ ଏବଂ ଭାରତୀୟ କ୍ରିକେଟର ଛବି ଖରାପ ହୋଇଛି । ପାଣ୍ଡିଆଙ୍କ ଏହି ଭୁଲ ଗ୍ରହଣୀୟ ନୁହେଁ ଏବଂ ଏହା ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ କାରଣ ଆଗମୀ ପିଢୀ ଯେପରି ଏହି ଭୁଲକୁ ନଦୋହରାଇପାରନ୍ତୁ ।”
ହାର୍ଦ୍ଦିକ ସୋ’ରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଜ ଟ୍ୱିଟରେ ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ନିଜ ଭୁଲକୁ ସ୍ୱୀକାର ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, “ମୁଁ ଅଧିକ ଭାବାତ୍ମକ ହୋଇଯାଇ ଏହିପରି କହିଦେଇଥିଲି ଏବଂ କାହାକୁ ଅପମାନ କରିବା ମୋର ଉଦ୍ଦେଶ୍ୟ ନଥିଲା । ସୋ’ରେ ଦେଇଥିବା ବୟାନ ପାଇଁ ମୁଁ ସମସ୍ତଙ୍କୁ ଭୁଲ ମାଗୁଛି ଏବଂ ଯେଉଁମାନଙ୍କ ଭାବନକୁ ଆଘାତ ପହଞ୍ଚିଛି ସେହି ସମସ୍ତଙ୍କୁ ମୁଁ ଭୁଲ ମାଗୁଛି । ”

ପ୍ରକାଶ ଥାଉକି ଏହି ସୋ’ରେ ଭାରତୀୟ କ୍ରିକେଟ ଦଳର ଦୁଇ ଯୁବ ଖେଳାଳୀଙ୍କୁ ‘କରଣ ଜୋହର’ ନିମନ୍ତ୍ରଣ କରିଥିଲେ । କରଣ ଏହି ସୋ’ ମାଧ୍ୟମରେ ଉଭୟଙ୍କୁ ନିଜ ଜୀବନରେ ଘଟିଥିବା କିଛି ବ୍ୟକ୍ତିଗତ କଥା ପଚାରିଥିଲେ । ଏହି ମଧ୍ୟରେ ପାଣ୍ଡିଆ ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କଥା ସମସ୍ତଙ୍କ ସାମନାରେ କହିଥିଲେ । ସେ ମହିଳା, ଡେଟିଙ୍ଗ ଏବଂ ସଂପର୍କକୁ ନେଇ ଏଭଳି କିଛି କଥା କହିଥିଲେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଣ୍ଡିଆ କହିଥିଲେ, “ମୋ ପରିବାର ଲୋକ ବହୁତ ଖୋଲା ମିଞ୍ଜାସର ଅଟନ୍ତି ଏବଂ ମୁଁ ଯେତେବେଳେ ପ୍ରଥମ ଥର ପାଇଁ କୌଣସି ଝିଅ ସହ ଶାରୀରିକ ସମ୍ବନ୍ଧ ରଖିଥିଲି ସେତେବେଳେ ମୁଁ ଘରକୁ ଆସି ପରିବାର ଲୋକଙ୍କୁ କହିଥିଲି, ମୁଁ ଆଜି କରିକି ଆସିଛି । ”
କେବଳ ଏତିକି ନୁହେଁ ସେ ନିଜ ଅତୀତକୁ ବଖାଣିବାକୁ ଯାଇ କହିଥିଲେ ଯେ, “ବାପା ଏବଂ ମୁଁ ଗୋଟିଏ ପୋଗ୍ରାମକୁ ଯାଇଥିଲୁ, ସେଠାରେ ବାପା ମୋତେ ପଚାରିଲେ ‘ତୁ କାହାକୁ ଚାହିଁଛି’, ସେତେବେଳେ ମୁଁ ପୋଗ୍ରାମରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କ ଆଡକୁ ଆଙ୍ଗୁଠି ଦେଖାଇ ବାପାଙ୍କୁ କହିଥିଲେ ‘ମୁଁ ସମସ୍ତଙ୍କୁ ଚାହିଁଛୁ’ ।”
ପାଣ୍ଡିଆ ସୋ ମାଧ୍ୟମରେ ମହିଳାଙ୍କ ରଙ୍ଗଭେଦକୁ ନେଇ ବିବାଦୀୟ ବୟାନ ମଧ୍ୟ ଦେଇଥିଲେ । ସେ କହିଥିଲେ “ମୁଁ ଝିଅଙ୍କ ସହ କଥା ହେବା ପରିବର୍ତ୍ତେ ତାଙ୍କୁ ପ୍ରଥମେ ଦେଖିବାକୁ ପସନ୍ଦ କରେ । ସବୁବେଳେ ତାଙ୍କ ଚାଲି ଉପରେ ମୋ ନଜର ଥାଏ । ”
ପାଣ୍ଡିଆଙ୍କର ଏହି ବିବାଦୀୟ ବୟାନ ବର୍ତ୍ତମାନ ସମସ୍ତ ଚ୍ୟାନେଲରେ ପ୍ରସାରିତ ହେବା ସହ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.