‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଲେ ଜେନେରାଲ ଏମଏମ ନରଓ୍ୱଣେ


ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌ ଏମ୍‌ ନରୱଣେଙ୍କୁ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ବିପିନ ରାୱତ୍‌ଙ୍କ ଦୁଃଖଦ ନିଧନ ପରେ ଏହି ପଦ ଖାଲି ପଡ଼ିଥିଲା । ନୂଆ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ନରୱଣେ ଏହି ଦାୟିତ୍ୱ ସମ୍ଭାଳିବେ ।

ତିନି ସେନାର ମୁଖ୍ୟଙ୍କ ମଧ୍ୟରେ ଜେନେରାଲ ନରୱଣେ ସବୁଠୁ ବରିଷ୍ଠ ହୋଇଥିବା କାରଣରୁ ତାଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟି ଅଧ୍ୟକ୍ଷ ପଦ ମିଳିଛି । ସିଡିଏସ୍‌ ପଦବି ସୃଷ୍ଟି ହେବା ପୂର୍ବରୁ ସାଧାରଣତଃ ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଅଧିକାରୀଙ୍କୁ କମିଟିର ଅଧ୍ୟକ୍ଷ ପଦ ମିଳୁଥିଲା ।

ଜେନେରାଲ ନରଓ୍ୱଣେଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଏପ୍ରିଲରେ ଶେଷ ହୋଇଯିବ । ଯଦି ତାଙ୍କୁ ସିଡିଏସ ଦାୟିତ୍ୱ ମିଳେ ତେବେ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧି ପାଇବ । ଏବେ ସେ ୬୨ ବର୍ଷର ଅଟନ୍ତି । ସିଡିଏସ ହେଲା ପରେ ସେ ୬୫ ବର୍ଷ ଯାଏଁ କାର୍ଯ୍ୟଭାର ସମ୍ଭାଳିବେ । ଅନେକ ବିଶେଷଜ୍ଞ ମଧ୍ୟ ନୂଆ ସିଡିଏସ ଭାରତୀୟ ସେନାରୁ କେହି ହୁଅନ୍ତୁ ବୋଲି ମତ ଦେଉଛନ୍ତି । ସରକାର ବି ନୂଆ ସିଡିଏସ ସନ୍ଧାନରେ ଲାଗି ପଡିଛନ୍ତି ।

ସେହିପରି ନରଓ୍ୱଣେଙ୍କୁ ସିଡିଏସ ଦାୟିତ୍ୱ ମିଳିଲେ ତେବେ ବରିଷ୍ଠ ସୈନ୍ୟ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି, ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ୱାଇ କେ ଯୋଶୀଙ୍କ ମଧ୍ୟରୁ ଜଣେ ସେନାଧ୍ୟକ୍ଷ ହୋଇପାରନ୍ତି । ସେହିପରି ଇଷ୍ଟର୍ଣ୍ଣ ଆର୍ମି ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ ନାଁ ବି ସାମ୍ନାକୁ ଆସୁଛି । ଉଲ୍ଲେଖଯୋଗ୍ୟ, ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତ୍‌, ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ । ୧୫ ତାରିଖରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂହଙ୍କ ମୃତ୍ୟୁ ହୋଇଥିଲା ।


Share It

Comments are closed.