ବିମାନ କର୍ମଚାରୀଙ୍କୁ କର୍କଟ ରୋଗ ହେବାର କାରଣ କ’ଣ, ଆସନ୍ତୁ ଜାଣିବା


ଅନେକ ଲୋକ ଅଛନ୍ତି, ଯୋଉଁମାନେ ବିମାନ ଯାତ୍ରା କରିବାକୁ ଖୁବ୍ ଭଲ ପାଆନ୍ତି ଓ ଆହୁରି କିଛି ଲୋକ ଅଛନ୍ତି ଯୋଉଁମାନେ ବିମାନରେ କାର୍ଯ୍ୟ କରିବାକୁ ଭୁବ୍ ପସନ୍ଦ କରିଥାଆନ୍ତି । କିନ୍ତୁ ବିମାନରେ କାର୍ଯ୍ୟ କରିବା ଯେତିକି ଉତ୍ସାହଜନକ ଏହା ଆମ ଶରୀର ନିମନ୍ତେ ସେତିକି ମାତ୍ରାରେ କ୍ଷତିକାରକ ହୋଇଥାଏ । କାରଣ, ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବିମାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଧିକ କର୍କଟ ରୋଗ ହେବାର ସମ୍ଭାବନା ରହିଛି । ପୂର୍ବରୁ ମିଳିଥିବା ଏକ ସୂଚନା ମୁତାବକ ବିମାନର କେବିନରେ କାର୍ଯ୍ୟରତ କର୍ମଚାରୀମାନେ ଚିଡ଼ିଚିଡ଼ାପଣ, ଫୁଲା ଓ ସଂକ୍ରମଣର ଶିକାର ହୋଇଥାଆନ୍ତି । ସେମାନେ ପ୍ରଜନନ ଜନୀତ ସମସ୍ୟା, ନିଓପ୍ଲାଜମ, ଫୁସଫୁସ ସଞ୍ଚାଳନରେ ଅସୁବିଧା ଇତ୍ୟାଦି ଦୀର୍ଘକାଳୀନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।
କିନ୍ତୁ ଏନଭରମେଣ୍ଟାଲ୍ ହେଲଥ ପତ୍ରିକାରେ ପ୍ରକାଶ ପାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ସାଧାରଣ ଲୋକଙ୍କ ଅନୁପାତରେ ବିମାନମାନଙ୍କରେ ସବୁବେଳେ ଉପସ୍ଥିତ ରହୁଥିବା କର୍ମଚାରୀମାନେ ଅଧିକ ମାତ୍ରାରେ କର୍କଟ ରୋଗରେ ପିଡ଼ୀତ ହୋଇଥାଆନ୍ତି । ଏପରି ବିମାନରେ ଥିବା କାର୍ସିନୋଜେନ୍ ଗ୍ୟାସ୍ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ କାରଣରୁ ହୋଇଥାଏ । ଯେହେତୁ ସେମାନେ ସବୁବେଳେ ବିମାନର ଆୟନିକ ବିକିରଣ ସଂସ୍ପର୍ଶରେ ଆସିଥାଆନ୍ତି, ସେମାନେ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପିଡ଼ୀତ ହୋଇଥାଆନ୍ତି । ଏହି କର୍କଟ ରୋଗମାନଙ୍କରେ ରହିଛି ସ୍ତନ କର୍କଟ, ଗ୍ରୀବା କର୍କଟ, ଚର୍ମ କର୍କଟ, ଥାଇରଏଡ଼୍ ଓ ଜରାୟୁ କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ସିଷ୍ଟମ କର୍କଟ ଇତ୍ୟାଦି ।
୫,୩୬୬ ୟୁନାଇଟେଡ଼ ଷ୍ଟେଟ୍ ବିମାନ କର୍ମଚାରୀଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏପରି ଜଣାପଡ଼ିଛି । ଗବେଷକମାନେ ଏଥିରେ ଅନୁଧ୍ୟାନ କରିଛନ୍ତି ଯେ, ବିମାନରେ କାର୍ଯ୍ୟରତ ଅଧିକାଂଶ ମହିଳାମାନଙ୍କୁ ସ୍ତନ କର୍କଟ, ମେଲାନୋମା ଓ ନନ୍-ମେଲାନୋମା ଚର୍ମ କର୍କଟ ହୋଇଥାଏ । ଉକ୍ତ ଅନୁଧ୍ୟାନର ଫଳାଫଳରୁ ଜଣାପଡ଼ିଛି ଯେ, ସାଧାରଣ ମହିଳାଙ୍କଠାରୁ ବିମାନରେ କାର୍ଯ୍ୟ କରୁଥିବା ମହିଳାମାନେ ୫୦ ପ୍ରତିଶତ ଅଧିକ ସ୍ତନ କର୍କଟର ଶିକାର ହୋଇଥାଆନ୍ତି ।


Share It

Comments are closed.