ଗେହଲଟ ଓ ଥରୁରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା! ଘନ ଘନ ବୈଠକ କରୁଛନ୍ତି ସୋନିଆ


କିଏ ଧରିବେ କଂଗ୍ରେସର ନୂଆ ମଙ୍ଗ? ଖୁବ୍‌ ଶୀଘ୍ର ହେବାକୁ ଥିବା ଅଧ୍ୟକ୍ଷ ପଦ ନିର୍ବାଚନରେ କେଉଁମାନେ ପ୍ରତିଦ୍ୱନ୍ଦିତା କରିବେ? ତାହା ଏ ଯାଏଁ ସ୍ପଷ୍ଟ ହେଉ ନାହିଁ। ବିଦେଶ ଯାତ୍ରାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଫେରିବା ପରେ ତାଙ୍କ ସହ ଘନ ଘନ ବୈଠକ ରରୁଛନ୍ତି ଅନେକ ପୁରୁଖା ନେତା। ତେବେ ପୁଣି ରାହୁଲଙ୍କୁ ଅଧ୍ୟକ୍ଷ କରିବା ନେଇ କିଛି ବରିଷ୍ଠ ନେତା ଜିଦ୍‌ରେ ଥିବା ବେଳେ ଆଉ କିଛି ନେତା ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବା ନେଇ ମନ ବଳାଇଲେନି। ଏହାରି ଭିତରେ ଅଶୋକ ଗେହଲଟଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। କାରଣ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଯଦି କେହି ଅଧିକ ରାହୁଲଙ୍କୁ ଅଧ୍ୟକ୍ଷ କରିବା ନେଇ ଆଗ୍ରହ ଅଛନ୍ତି ସେ ହେଉଛନ୍ତି ଗେହଲଟ। କୁହାଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇପାରେ। ହେଲେ ଶେଷଥର ପାଇଁ ପୁଣି ରାହୁଲଙ୍କୁ ମନାଇବା ପାଇଁ ସୋନିଆଙ୍କ ସହ ଆଜି ଆଲୋଚନା କରିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏହି ଆଲୋଚନା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ବେଳେ ଯଦି ରାହୁଲ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ରାଜି ନ ହୁଅନ୍ତି ତେବେ ଗେହଲଟ ନିର୍ବାଚନ ଲଢ଼ିବା ଏକ ପ୍ରକାର ନିଶ୍ଚିତ।

ଅଶୋକ ଗେହଲଟ ବୁଧବାର ସୋନିଆଙ୍କୁ ଭେଟିବା ପୂର୍ବରୁ ମଙ୍ଗଳବାର ରାତିରେ ବିଧାୟକ ବୈଠକ ଡାକିଥିଲେ। ଏହି ବୈଠକରେ ଗେହଲଟ କହିଥିଲେ ଯେ ଯଦି ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କାନ ଭରୁଛନ୍ତି ତେବେ ବିଧାୟକଙ୍କୁ ଦିଲ୍ଲୀ ଯିବା ପାଇଁ କୁହାଯାଇ ପାରେ। କୁହାଯାଉଛି ଯେ କଂଗ୍ରେସ ଅଧ୍ୟକ୍ଷ ପାଇଁ ଆଗାମୀ ସପ୍ତାହରେ ଗେହଲଟ ନାମାଙ୍କନ ଭରିପାରନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବା ସହ ରାଜସ୍ଥାନରେ ମଧ୍ୟ ତାଙ୍କର ଦବ୍‌ଦବା ରହିବ। ଅର୍ଥାତ ଯଦି ସେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଉଛନ୍ତି ତେବେ ସେ ଏହି ଦାୟିତ୍ୱ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ମଧ୍ୟ ସମ୍ଭାଳିବେ।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ମାସରେ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ହେବାକୁ ଯାଉଛି। ଏଥର ଚର୍ଚ୍ଚା ହେଉଛି ଯେ, ଗାନ୍ଧି ପରିବାର ବାହାରୁ କେହି କଂଗ୍ରେସ ଅଧ୍ୟକ୍ଷ ହେବେ। ଅନ୍ୟପଟେ କିଛି ଦଳୀୟ ନେତା ରାହୁଲ ଗାନ୍ଧିଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ କରାଇବାକୁ ଲାଗିପଡିଛନ୍ତି । ରାହୁଲ ମନା କରୁଥିଲେ ବି ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସର ବଡ ବଡ ନେତୃତ୍ବ । ତେବେ ଥରୁର୍‌ ନିର୍ବାଚନ ଲଢୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ମନାଇବାରେ ଦଳୀୟ ନେତୃତ୍ବ କେତେ ସଫଳ ହେଉଛନ୍ତି ତାହାକୁ ଅପେକ୍ଷା।


Share It

Comments are closed.