ଭାରତ ବନ୍ଦ ଡାକରାରେ ସାମିଲ ହେଲେ ଦେଶର ୨୦ରୁ ଉର୍ଦ୍ଧ ରାଜନୈତିକ ଦଳ


କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ମାନସରୋବର ଯାତ୍ରା ସାରି ଦିଲ୍ଲୀ ଫେରିଛନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବାରମ୍ବାର ବଢିବା ଫଳରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ଭାରତ ବନ୍ଦ ଡାକରାକୁ ଦେଶର ୨୦ରୁ ଉର୍ଦ୍ଧ ରାଜନୈତିକ ଦଳ ସମର୍ଥନ ଜଣାଇବା ସହ ବିରୋଧୀ ଦଳର ସମସ୍ତ ନେତା ଦିଲ୍ଲୀର ରାଜଘାଟରୁ ରାମଲିଲା ମୈଦାନ ଆଡକୁ ଏକ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ସୋନିଆ ଗାନ୍ଧୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିରୋଧୀ ଦଳର ସମସ୍ତ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଶୋଭାଯାତ୍ରାରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ସର୍ବପ୍ରଥମେ ରାଜଘାଟରେ ମାହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ କୈଳାସ ମନସରୋବରରୁ ଆଣିଥିବା ପବିତ୍ର ଜଳକୁ ମଧ୍ୟ ତାଙ୍କ ସମାଧିରେ ଅର୍ପଣ କରିଥିଲେ । ଏହା ପରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଶୋଭାଯାତ୍ରା ବାହାର କରିଥିଲେ ଯେଉଁଥିରେ ଏନସିପି ସୁପ୍ରିମୋ ଶରଦ ପାୱାର, ବରିଷ୍ଠ କଂଗ୍ରେସ ନେତା ଗୁଲାବ ନବୀ ଆଜାଦ, ଶରଦ ଯାଦବ ଏବଂ ଅଶୋକ ଗେହଲୋଟଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଶୋଭାଯାତ୍ରାରେ ମଧ୍ୟ ଯାଇଥିଲେ ।

ମିଳିଥିବା ସୂଚନା ମୁତାବକ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ, ତୃଣମୂଳ କଂଗ୍ରେସ, ରାଷ୍ଟ୍ରିୟ ଜନତା ଦଳ, ମାର୍କକିଷ୍ଟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଜଦ, ଆମ ଆଦମୀ ପାର୍ଟି, ତୁଲୁଗୁ ଦେଶନ ପାର୍ଟି, ରାଷ୍ଟ୍ରିୟ ଲୋକ ଦଳ, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାସନାଲ କନଫରେନ୍ସ, ଝାରଖଣ୍ଡ ବିକାଶ ମୋର୍ଚ୍ଚା-ପ୍ରଜାତାନ୍ତ୍ରିକ, ଏଆଇୟୁଡିପି, କେରଳ କଂଗ୍ରେସ, ରିଭୋଲୁସନାରୀ ସୋସିଆଲଲିଷ୍ଟ ପାର୍ଟି ଏବଂ ଲୋକତାନ୍ତ୍ରିକ ଦଳ ସମେତ ଅନ୍ୟାନ ଦଳ ମଧ୍ୟ ସାମିଲ ରହିଛନ୍ତି ।
କଂଗ୍ରେସର ବରିଷ୍ଟ ନେତା ଗୁଲାବ ନବୀ ଆଜାଦ କହିଛନ୍ତି ଯେ, ଏହି ବନ୍ଦ ଡାକରାରେ ଦେଶର ସମସ୍ତ ବିରୋଧୀ ଦଳ ସାମିଲ ରହିଛନ୍ତି । ମିଳିଥିବା ସୂଚନା ମୁତାବକ କଂଗ୍ରେସର କୋଷାଧକ୍ଷ ଅହମଦ ପଟେଲ ବିରୋଧୀ ଦଳର ସମସ୍ତ ନେତାଙ୍କ ସହ କଥା ହେଲା ପରେ ସେମାନେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇବେ ବୋଲି ରାଜି ହୋଇଥିଲେ ।


Share It

Comments are closed.