ପ୍ରଚଣ୍ଡ ବହୁମତ ହାସଲ ପରେ ମୋଦିଙ୍କୁ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ


ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରଚଣ୍ଡ ବହୁମତ ସହ ଶାସନକୁ ଫେରିଛି । ଚଳିତ ସାଧାରଣ ନିର୍ବାଚନରେ ଦଳ ଏକାକୀ ଭାବେ ୩୦୨ଟି ତଥା ତାଙ୍କର ଅଶୀଂଦାର ଏନଡିଏ ୩୫୧ରେ ବିଜୟ ଲାଭ କରିଛନ୍ତି । ଯେବେକି ୨୦୧୪ ନିର୍ବାଚନରେ ଏନଡିଏ ୩୩୬ ସିଟ୍ ଓ ବିଜେପି ୨୮୨ ସିଟ୍ ଅକ୍ତିଆର କରିଥିଲା ।
ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ମୋଦିଙ୍କ ନିକଟକୁ ଦେଶ ବିଦେଶରୁ ବିଭିନ୍ନ ନେତା ଅଭିନେତାଙ୍କ ଠାରୁ ଅଭିନନ୍ଦନର ସୁଅ ଛୁଟିଛି । ଏହିସବୁ ବିଶ୍ୱନେତାଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥିଳୀପାଲା ସିରିସେନା, ଚୀନ୍ ପ୍ରଧାନମନ୍ତ୍ରୀ ଜିନପିଙ୍ଗ୍, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଦି ପ୍ରମୁଖ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଜାପାନ, କାନାଡ଼ା, ସିଙ୍ଗାପୁର, ବ୍ରିଟେନ, ଜର୍ମାନୀ, ଭିଏତନାମ, ଅଷ୍ଟ୍ରେଲିଆ ଆଦିର ରାଷ୍ଟ୍ର ପ୍ରମୁଖ ମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ବିଭିନ୍ନ କଳାକାର, ଅଭିନେତା, କ୍ରୀଡା ଏବଂ ସାମାଜିକ ଜଗତରୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁଥିରେ କ୍ରିକେଟର ବିରାଟ କୋହଲି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରଜନୀକାଂଥ, ବିବେକ ଓବରାଏ, ସଲମାନ ଖାନ, ଅନୁଷ୍କା ଶର୍ମା, କରଣ ଜୋହର, ଅନିଲ କପୁର, ଅକ୍ଷୟ କୁମାର, ସାନିଆ ମୀର୍ଜା, ବିଶାଳ ଦାଡଲାନି, ଚେତନ ଭଗତ ପ୍ରଭୁତି ଅନ୍ତର୍ଭୁକ୍ତ ।

ଏହା ସହ ପ୍ରାୟ ସମସ୍ତ ବିରୋଧୀ ଦଳ ମୋଦିଙ୍କୁ ତାଙ୍କ ବିଜୟ ପାଇଁ ଶୁଭକାମନା ଦେଇଛନ୍ତି । ସେହିପରି ମୁଖ୍ୟ ବିରୋଧୀଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିର ଏହି ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ଜନମତକୁ ସଂମାନ ଦିଅନ୍ତି ବୋଲି କହିଛନ୍ତି । କଂଗ୍ରେସ ଏହି ନିର୍ବାଚନରେ ୫୪ଟି ଆସନରେ ବିଜୟ ହୋଇଛି । ଯେବେକି ସେ ନିଜେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରୁ ହାରିଯାଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଏହି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିବା ସହ ଇସ୍ତଫା ପ୍ରସ୍ତାବ ଦେଇଥିଲେ । ଏ ସଂପର୍କରେ ସେ ନିଜ ମା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସର ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ଜଣାଇଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ସପ୍ତାହ ମଧ୍ୟରେ କଂଗ୍ରେସ ଓ୍ଵାର୍କିଂ କମିଟିର ବୈଠକ ବସି ରାହୁଲଙ୍କ ଇସ୍ତଫା ସଂପର୍କରେ ଆଲୋଚନା କରାଯିବ ।


Share It

Comments are closed.