ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରରେ ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର୍‌ର ନୂତନ କେନ୍ଦ୍ର ଉଦ୍‌ଘାଟିତ

Share It

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଓଡିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର (ଓଏନ୍‌ଟିଏଚ୍‌ପିସି)ର ନୂଆ ଅତ୍ୟାଧୁନିକ କେନ୍ଦ୍ରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ନୂଆ କେନ୍ଦ୍ରରେ ରହିଛି ଏକ ଜିମ୍‌, ସ୍ମାର୍ଟ ଶ୍ରେଣୀ ଗୃହ, ଡାଇନିଂ ସୁବିଧା, ଫିଜିଓଥେରାପି କକ୍ଷ, କାର୍ଯ୍ୟାଳୟ ସ୍ଥଳ ଇତ୍ୟାଦି ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ମୁଖ୍ୟମନ୍ତ୍ରୀ-ରୂପାନ୍ତରଣ ଅଭିଯାନ (୫-ଟି) ସଚିବ ଆଇଏଏସ୍ ଶ୍ରୀ ଭି କେ ପାଣ୍ଡିଆନ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା, ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସେବା) ଶ୍ରୀ ଚାଣକ୍ୟ ଚୌଧୁରୀ, ଭୁବନେଶ୍ୱରରେ ଟାଟା ଷ୍ଟିଲ୍‌ର ଚିଫ୍ ରେସିଡେଂଟ୍ ଏକ୍‌ଜିକ୍ୟୁଟିଭ ଶ୍ରୀ ଦେବାଶିଷ ଜେନା, ଓଏନ୍‌ଟିଏଚ୍‌ପିସିର ନିର୍ଦ୍ଦେଶକ ରାଜୀବ ସେଠ୍‌୍ ଯୋଗ ଦେଇଥିଲେ । ଏହି ଅବସରରେ ହକି ଇଣ୍ଡିଆର ସାଧାରଣ ସଚିବ ଶ୍ରୀ ଭୋଳାନାଥ ସିଂହ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର୍ କେ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ ।
ନୂଆ ହକି ହାଇପରଫରମାନ୍ସ ସେଂଟର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଏଚ୍‌ପିସି ଓ ତୃଣମୂଳ କେନ୍ଦ୍ରଗୁଡ଼ିକ ଜରିଆରେ ହକିର ବିକାଶ ଲାଗି ଟାଟା ଗ୍ରୁପ୍ ସହ ସହଯୋଗିତାକୁ ନେଇ ଆମେ ବେଶ ଆନନ୍ଦିତ । ଏହା ପ୍ରତିଭାବାନ ଖେଳାଳିଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ ଏବଂ ଜାତୀୟ ଦଳ ପାଇଁ ଶ୍ରେଷ୍ଠ ମାନର ଖେଳାଳି ସୃଷ୍ଟି କରିବା ପ୍ରତି ଯୋଗଦାନ ପ୍ରଦାନ କରିବ । କ୍ରୀଡ଼ାରେ ଉତ୍କର୍ଷ ହାସଲ କରିବାରେ କ୍ରୀଡ଼ାବିତଙ୍କ ପାଇଁ ସହାୟକ ହେବା ଲକ୍ଷ୍ୟ ନେଇ ଉତ୍କୃଷ୍ଟ ଓ ଆଧୁନିକ ଭିତିଭୂମି ସହିତ ଆମେ ଏବେ ଏକ ଅଧିକ ମୁକ୍ତ ଓ ସାମଗ୍ରିକ କ୍ରୀଡ଼ା ବ୍ୟବସ୍ଥା ବିକାଶ କରିଛୁ ।’’
ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସେବା) ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଂଟର ସହ ଯୋଡ଼ି ହୋଇ ଟାଟା ଷ୍ଟିଲ୍ ଗର୍ବିତ । ଏହି କେନ୍ଦ୍ରକୁ ଭାରତର ଅନ୍ୟତମ ଅଗ୍ରଣୀ ହାଇ ପରଫରମାନ୍ସ ସେଂଟରରେ ପରିଣତ କରିବା ଲାଗି ସହାୟତା ଓ ମାର୍ଗଦର୍ଶନ କରିଥିବାରୁ ଓଡ଼ିଶା ସରକାରଙ୍କ ପ୍ରତି ଆମେ କୃତଜ୍ଞ । ବରିଷ୍ଠ ମହିଳା ହକି ଆନ୍ତର୍ଜାତିକ ଖେଳାଳି ମିସ୍ ଜ୍ୟୋତି ଛତ୍ରି ଏଚ୍‌ପିସିର କ୍ୟାଡେଟ୍ ହୋଇଥିବା ବେଳେ ଏହି ଏଚ୍‌ପିସିର ଅନ୍ୟ ପାଂଚ ଜଣ କନିଷ୍ଠ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଖେଳ ପ୍ରଦର୍ଶନ କରିଛନ୍ତି ।’’
ବର୍ତମାନ ଏହି ନୂଆ କେନ୍ଦ୍ରରେ ୯୦ କ୍ୟାଡେଟ୍ ରହିଛନ୍ତି ଯେଉଁଥିରେ ସମାନ ସଂଖ୍ୟକ ବାଳକ ଓ ବାଳିକା ଅଛନ୍ତି ଓ ସେମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଭାଙ୍କ ମଧ୍ୟରୁ ଚୟନ କରାଯାଇଛି । ଆନ୍ତର୍ଜାତିକ ସ୍ତରରେ ଉତ୍କର୍ଷତା ହାସଲ କରିବା ପାଇଁ ସେମାନଙ୍କୁ ଶ୍ରେଷ୍ଠ ସୁବିଧା ଓ ତାଲିମ ପ୍ରଦାନ କରାଯାଉଛି । ଓଡ଼ିଶା ସରକାରଙ୍କ ତରଫରୁ ଭିତିଭୂମି ପ୍ରଦାନ କରାଯାଇଥିବା ବେଳେ ଓଏନ୍‌ଟିଏଚ୍‌ପିସି ତାହାର ପରିଚାଳନା କରୁଛି ।
ଓଡ଼ିଶାର ୯ଟି ଜିଲ୍ଲାରେ ଏଚ୍‌ପିସି ପକ୍ଷରୁ ତୃଣମୂଳ ହକି କାର୍ଯ୍ୟକ୍ରମର ପରିଚାଳନା କରାଯାଉଥିବା ବେଳେ ଓଡ଼ିଶା ସରକାରଙ୍କ ୨୦ଟି କେନ୍ଦ୍ର ସହ ମୋଟ ୨୫ଟି ତୃଣମୂଳ କେନ୍ଦ୍ରର ପରିଚାଳନା କରାଯାଉଛି ।
୨୦୧୯ ଅଗଷ୍ଟ ୧୩ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଟି ଭି ନରେନ୍ଦ୍ରନ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିକୁ ଉଦ୍‌ଘାଟନ କରିଥିଲେ । ଏହା ହେଉଛି ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍ ସହିତ ଓଡ଼ିଶା ସରକାରଙ୍କ ସହଯୋଗିତାର ଏକ ଅଭିଯାନ ।


Share It

Comments are closed.