ଆଜି ସୁପରକିଙ୍ଗ୍‌ସ ଓ ଚ୍ୟାଲେଞ୍ଜର୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର


ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି।

ଶେଷ ଥର ପାଇଁ ସୁପରକିଙ୍ଗ୍‌ସ ୨୦୧୦ ସଂସ୍କରଣରେ ପ୍ରଥମ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା । ଅବଶ୍ୟ ସୁପରକିଙ୍ଗ୍‌ସ ସେହିବର୍ଷ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା। ଏଥର ୧୦ଟି ଦଳ ଭାଗ ନେଉଥିବାରୁ ସ୍ଥିତି ଭିନ୍ନ ରହିବ । ଆଉ ଗୋଟିଏ ପରାଜୟ ସୁପରକିଙ୍ଗ୍‌ସର ଟାଇଟଲ ଅଭିଯାନ ଶେଷ କରିଦେବାର ଆଶଙ୍କା ରହିଛି । ଗତ ସିଜନରେ ସୁପରକିଙ୍ଗ୍‌ସକୁ ଚାମ୍ପିଅନ୍‌ କରାଇଥିବା ଫାଫ ଡୁ ପ୍ଲେସି ବର୍ତ୍ତମାନ ରୟାଲ୍‌ ଚ୍ୟାଲେଞ୍ଜର୍ସର ଅଧିନାୟକ। ଦଳ ଡୁ ପ୍ଲେସିଙ୍କ ଅନୁପସ୍ଥିତି ଅନୁଭବ କରୁଛି । ଏଥିସହ ଋତୁରାଜ ଗାଏକୱାଡ ଓ ରବିନ ଉଥପ୍ପାଙ୍କ ଫର୍ମ ମଧ୍ୟ ଦଳକୁ ଚିନ୍ତାରେ ପକାଇଛି।

ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ପ୍ରଥମାର୍ଦ୍ଧରେ ରହିଛି ରୟାଲ୍‌ ଚ୍ୟାଲେଞ୍ଜର୍ସ । ୱାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଶୃଙ୍ଖଳିତ ବୋଲିଂ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁଖ୍ୟତଃ ବିଜୟ ହାସଲ କରିଛି। ହେଲେ ହର୍ଷଲ ଖେଳିବେ ନାହିଁ। ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଭଳି ଷ୍ଟାର୍‌ ବ୍ୟାଟର ରହିଥିଲେ ହେଁ ଦିନେଶ କାର୍ତ୍ତିକଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ସେ ସମ୍ପ୍ରତି ଆଇପିଏଲ୍‌ର ଶ୍ରେଷ୍ଠ ଫିନିଶର ଭାବେ ଗଣା ହେଉଛନ୍ତି।

ସୁପରକିଙ୍ଗ୍‌ସ: ରବିନ ଉଥପ୍ପା, ଋତୁରାଜ ଗାଏକୱାଡ, ମୋଇନ ଅଲି, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା(ଅଧିନାୟକ), ମହେନ୍ଦ୍ର ସିଂ ଧୋନି, ଡ୍ୱେନ ବ୍ରାଭୋ, ଡ୍ୱେନ ପ୍ରିଟୋରିୟସ, କ୍ରିସ ଜୋର୍ଡାନ, ମୁକେଶ ଚୌଧୁରୀ/ତୁଷାର ଦେଶପାଣ୍ଡେ ।

ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି(ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ୍‌, ଦିନେଶ କାର୍ତ୍ତିକ, ଶାହବାଜ ଅହମ୍ମଦ, ଡେଭିଡ୍‌ ୱିଲି, ୱାନିଣ୍ଡୁ ହସରଙ୍ଗା, ସିଦ୍ଧାର୍ଥ କୌଲ, ମହମ୍ମଦ ସିରାଜ, ଆକାଶ ଦୀପ ।


Share It

Comments are closed.