ଲକ୍‌ଡାଉନ୍ ମଧ୍ୟରେ ଚାଷ କାର୍ଯ୍ୟ ପାଇଁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ


ନୂଆଦିଲ୍ଲୀ,୧୧ ଏପ୍ରିଲ ୨୦୨୦: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନର ଲକ୍‌ଡାଉନ୍ ଲାଗୁ କରିଥିଲେ, ଯାହା ଆସନ୍ତା ଏପ୍ରିଲ ୧୪ ତାରିଖରେ ଶେଷ ହେବାକୁ ଯାଉଛି । ତେବେ ଦେଶରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାର ଏବେ ଲକ୍‌ଡାଉନ୍ ଅବଧି ବଢାଇବାକୁ ନିଷ୍ପତି ନେଇପାରନ୍ତି । ଅନେକ ରାଜ୍ୟ ମଧ୍ୟ ଲକ୍‌ଡାଉନ୍ ଅବଧି ଚଳିତ ମାସ ଶେଷ ଯାଏଁ ବଢାଇବାକୁ ସୁପାରିଶ କରିଛନ୍ତି । ତେବେ ଦେଶବ୍ୟାପୀ ଜାରି ଲକ୍‌ଡାଉନ୍ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କିଛି କାମ ପାଇଁ ଅନୁମତି ଦେବାକୁ ନିଷ୍ପତି ନିଆଯାଇଛି । ସୂଚନା ମୁତାବକ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାଛ ଧରିବା, ମାଛ ଛାଷ କରିବା ଓ ବିକ୍ରି କରିବା, ଜଳୀୟ କୃଷି ଉଦ୍ୟୋଗର ପରିଚାଳନା, ଫସଲ କାଟିବା ଆଦି କାର୍ଯ୍ୟ ପାଇଁ ଅନୁମତି ଦେବା ସହ ଫୁଡ୍ ପ୍ରୋସେସିଙ୍ଗ୍‌, ପ୍ୟାକେଜିଙ୍ଗ୍‌, କୋଲ୍ଡ ଚେନ୍‌, ବିକ୍ରି ଓ ମାର୍କେଟିଙ୍ଗ୍‌, ଫିଡ୍ ପ୍ଲାଂଟ୍ ଆଦିକୁ କାମ କରିବାକୁ ଅନୁମତି ଦେଇଛି । ତେବେ କାର୍ଯ୍ୟ ସମୟରେ ସାମାଜିକ ଦୂରତା, ସ୍ୱଚ୍ଛତା ଓ ଲକ୍‌ଡାଉନ୍ ନିୟମର କଡାକଡି ପାଳନ କରିବାକୁ ହେବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ନିୟମର ପାଳନ ନକରିବା ସ୍ଥିତିରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


Share It

Comments are closed.