ଆଜି ଦୁବାଇରେ ଆରମ୍ଭ ହେବ ନୂଆ ଆଇପିଏଲ ଦଳ ଘୋଷଣା ପ୍ରକ୍ରିୟା


ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ୨ଟି ନୂଆ ଦଳ ସାମିଲ ହେବେ। ସୋମବାର ଦୁବାଇରେ ନୂଆ ଦଳ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବିସିସିଆଇ ୨ଟି ନୂଆ ଦଳ ନିଲାମରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଠାରୁ ୭ରୁ ୧୦କୋଟି ଟଙ୍କା ପାଇବା ଆଶା କରାଯାଉଛି । ବିସିସିଆଇ ପକ୍ଷରୁ ସଫଳ ନିଲାମଧାରୀଙ୍କ ନାମ ଏବଂ ଦଳର ନାମ ଘୋଷଣା କରାଯିବ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ଆଇପିଏଲ୍‌ ଦଳ କିଣିବା ପାଇଁ ମୋଟ ୨୨ଟି କମ୍ପାନୀ ଟେଣ୍ଡର କାଗଜପତ୍ର କ୍ରୟ କରିଥିବା ଜଣାପଡ଼ିଛି । ପ୍ରତ୍ୟେକ କମ୍ପାନୀ ୧୦ଲକ୍ଷ ଟଙ୍କାରେ ଟେଣ୍ଡର କାଗଜପତ୍ର କିଣିଛନ୍ତି । ବିସିସିଆଇ ପ୍ରତି ଫ୍ରାଞ୍ଚାଇଜ୍‌ର ବେସ୍‌ ପ୍ରାଇସ୍‌ (ମୂଲ୍ୟ ଦର) ୨୦୦୦ କୋଟି ରଖିଛି । ଦେଶର ସବୁଠୁ ନାମୀଦାମୀ କମ୍ପାନୀ ନିଲାମରେ ଭାଗ ନେଉଥିବାରୁ ବିସିସିଆଇ ଅଧିକ ଆୟ କରିବା ସମ୍ଭାବନା ରହିଛି । ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଡାନୀ ଏବଂ ତାଙ୍କ ଅଡାନୀ ଗ୍ରୁପ୍‌, ଆର୍‌ପିଏସ୍‌ଜି ଗ୍ରୁପ୍‌ର ଅରବପତି ସଞ୍ଜୀବ ଗୋଏଙ୍କା ପ୍ରମୁଖ ନିଲାମରେ ସାମିଲ ହେବେ ।

ଶ୍ରୀ ଗୋଏଙ୍କା ପୂର୍ବରୁ ଆଇପିଏଲ୍‌ ଦଳ ପୁନେ ସୁପରଜ୍ୟାଣ୍ଟସ କ୍ରୟ କରିଥିଲେ । ତେଣୁ ଏଥର ନୂଆ ଦଳ କିଣିବା ସମ୍ଭାବନା ଢ଼େର ଅଧିକ ରହିଛି । ବିସିସିଆଇ ଆଇପିଏଲ୍‌ ପ୍ରସାରଣ ଅଧିକାର ପାଇଁ ୩୬,୦୦୦ କୋଟି ନିର୍ଦ୍ଧାରଣ କରିଛି । ଫ୍ରାଞ୍ଚାଇଜ୍‌ ମାଲିକମାନେ ପ୍ରସାରଣ ଅଧିକାର ପାଇଁ ବିସିସିଆଇଠୁ ସମାନ ଆର୍ଥିକ ଭାଗ ନେବେ । ତେଣୁ ନିଲାମରେ କମ୍ପାନୀ ଗୁଡ଼ିକ ଏହି ଭାଗକୁ ନଜରରେ ରଖି ଅଧିକ ଟଙ୍କାରେ ଦଳ କିଣିବାକୁ ଆଗ୍ରହ ଦେଖାଇ ପାରନ୍ତି ।

ଓଡ଼ିଶାରୁ ଏକ ନୂଆ ଆଇପିଏଲ୍‌ ଦଳ ହେବା ସମ୍ଭାବନା ଏଡ଼ାଇ ଦିଆଯାଇ ପାରିବନି । ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ ନିଲାମରେ ଭାଗ ନେଉଛନ୍ତି । ଯଦି ସେ ନିଲାମରେ ସଫଳ ହୁଅନ୍ତି, ତାହେଲେ କଟକରୁ ଏହି ଦଳ ଖେଳିବା ସମ୍ଭାବନା ରହିଛି । ସେହିପରି ଲାନ୍ସର ଗ୍ରୁପ୍‌ ମାଲିକ ଅଭରାମ ଗ୍ଲାଜର (ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ୍‌ ମାଲିକ), କୋଟାକ ଗ୍ରୁପ୍‌, ଫାର୍ମାସିଟିକାଲ ମେଜର୍ସ ଅରୋବିନ୍ଦୋ ଫାର୍ମା ଏବଂ ଟୋରେଣ୍ଟ ଗ୍ରୁପ୍‌ ମଧ୍ୟ ଟେଣ୍ଡର କାଗଜପତ୍ର କ୍ରୟ କରିଛନ୍ତି ।

ବିସିସିଆଇ ୫ଟି ସହରରୁ ବିଡ ଆହ୍ୱାନ ନେଇ ବିଜ୍ଞପ୍ତି ଜାରି କରିଥିଲା । ଗୌହାଟୀ, ରାଞ୍ଚି, ପୂର୍ବାଞ୍ଚଳରୁ କଟକ, ପଶ୍ଚିମାଞ୍ଚଳରୁ ଅହମ୍ମଦବାଦ, କେନ୍ଦ୍ରାଞ୍ଚଳରୁ ଲକ୍ଷ୍ନୌ ଏବଂ ଉତ୍ତରାଞ୍ଚଳରୁ ଧର୍ମଶାଳା ଏହି ତାଲିକାରେ ରହିଛନ୍ତି । ବିସିସିଆଇର ବିଜ୍ଞପ୍ତି ଅନୁଯାୟୀ ଗୋଟିଏରୁ ଏକାଧିକ କମ୍ପାନୀ ମିଳିତ ଭାବେ ଦଳ କ୍ରୟ କରିପାରିବେ।


Share It

Comments are closed.