କିପରି ହୁଏ ମହାପ୍ରଭୁ ଜଗନ୍ନାଥଙ୍କର ଅଣସର ବିଧି


ବର୍ତ୍ତମାନ ଜଗତରନାଥ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛି ଭକ୍ତ । ବଡ଼ ଦେଉଳ ଖାଁ ଖାଁ, ରତ୍ନ ସିଂହାସନରେ ଆଉ କଳା ନୟନ ଦେଖାଯାଉନାହିଁ, ବଦଳରେ ପୂଜା ପାଉଛନ୍ତି ପଟି ଦିଅଁ । ଭକ୍ତର ମନରେ ଆଉ ଦିଶୁନାହିଁ ପୂର୍ବର ସେ ସରସତା, କେମିତିବା ଦିଶିବ, ତାର ଅତିନିକଟର ଭାବର ଠାକୁର ବର୍ତ୍ତମାନ ଅଣସର ଘରେ, ଜ୍ୱରରେ ପିଡ଼ୀତହୋଇ ଗୁପ୍ତ ସେବାରେ ଅଛନ୍ତି । କାହିଁ କୋଉ ଅନାଦି କାଳରୁ କାଳିଆ ଠାକୁର ଏହି ଧରାରେ ମାନବ ଲୀଳା ଖେଳା କରିଆସୁଛନ୍ତି । ସତରେ କ’ଣ ଠାକୁର ଜ୍ୱରରେ ଆକ୍ରାନ୍ତ ହୁଅନ୍ତି, ସତରେ କ’ଣ ତାଙ୍କ ଗୁପ୍ତ ସେବା ପରେ ସେ ସମ୍ପୁର୍ଣ୍ଣ ଠିକ୍ ହୋଇଯାଆନ୍ତି, ଠାକୁର କାହିଁକି ଏପରି ଲୀଳାମାନ କରିଥାନ୍ତି, ଏଭଳି ଅନେକ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ, ଆସିବାବି ସ୍ୱାଭାବିକ୍ ।
ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶେଷ ଦିବଷରେ ପଡ଼ିଥାଏ ସ୍ନାନ ପୁର୍ଣ୍ଣମୀ ତଥା ଦେବ ସ୍ନାନ ପୁର୍ଣ୍ଣମୀ । ଉକ୍ତ ଦିନ ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ସୁଦର୍ଶନ ମହାରାଜ ରତ୍ନସିଂହାସନରୁ ଓହ୍ଲାଇ ଆସନ୍ତି ସ୍ନାନ ମଣ୍ଡପରେ ସ୍ନାନ କରିବାକୁ । ଭୋରୁ ଆରମ୍ଭ ହୋଇଯାଏ ଦୈନିକ ନିତିକାନ୍ତି, ଯେପରିକି ମଙ୍ଗଳ ଆଳତୀ, ମଧ୍ୟାହ୍ନ ଧୂପ, ମଇଲମ, ଭୋଗଲାଗି ଇତ୍ୟାଦି । ଏହାପରେ ଶୀତଳାଙ୍କ ମନ୍ଦିର ପାଖରେଥିବା ସୁନା କୂଅରୁ ଆସିଥିବା ୧୦୮ ଗରା ପାଣିରେ ମହାପ୍ରଭୁ ସ୍ନାନ କରିଥାନ୍ତି । ଏହି ସୁନା କୂଅ ଆହୁରି ମଧ୍ୟ ପାତାଳ ଗଙ୍ଗା ନାମରେ ପରିଚିତ । ମହାପ୍ରଭୁ ସ୍ନାନ କରୁଥିବା ୧୦୮ କଳସ ମଧ୍ୟରୁ ୩୫ଟି କଳସରେ ଶ୍ରୀ ଜଗନ୍ନାଥ, ୩୩ଟି କଳସରେ ଶ୍ରୀ ବଳଭଦ୍ର, ୨୨ଟି କଳସରେ ଦେବୀ ସୁଭଦ୍ରା ଏବଂ ୧୮ଟି କଳସରେ ସୁଦର୍ଶନ ସ୍ନାନ କରିଥାନ୍ତି ।

ମହାପ୍ରଭୁ ସ୍ନାନ କରୁଥିବା ଜଳରେ ଚନ୍ଦନ, କର୍ପୂର, କେସର ଏବଂ ଚୁଆକୁ ୧୦:୬ ଅନୁପାତରେ ମିଶ୍ରଣ କରାଯାଇଥାଏ । ସ୍କନ୍ଦ ପୂରାଣ ଅନୁଯାୟି ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ଦାରୁ ଦେବତାଙ୍କୁ ପ୍ରତିଷ୍ଠା କରିଥିଲେ ସେ ପ୍ରଥମେ ଠାକୁରଙ୍କ ଜନ୍ମକୁ ଏହି ଜ୍ୟେଷ୍ଟ ପୂର୍ଣ୍ଣମୀରେ ପାଳନ କରିଥିବାରୁ ଉକ୍ତ ଦିନକୁ ଦେବଦ୍ନାନ ପୂର୍ଣ୍ଣମୀଭାବେ ପାଳନ କରାଯାଇଆସୁଛି । ଅଣସର ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଣସର ଗୃହରେ ରଖାଯାଇ ଦଇତାପତିମାନେ ସେବା କରିଥାନ୍ତି । ଏହି ନିର୍ଦ୍ଦିଷ୍ଟ ସମୟରେ ଠାକୁର ମାନଙ୍କୁ ଫୁଲୁରି ସେବା କରାଯାଇଥାଏ । ଏହି ସେବା ଶ୍ରୀମଦଭାଗବତର ରଚୟିତା, ଅତିବଡ଼ି ଜଗନ୍ନାଥ ଦାଶଙ୍କ ଦ୍ୱାରା ପ୍ରଥମେ ଆରମ୍ଭ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ଠାକୁରଙ୍କ ପାଇଁ ଫୁଲୁରି ତେଲ ଜଗନ୍ନାଥ ଦାଶଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ଆସିଥାଏ । ଫୁଲୁରି ତେଲ ମୁଖ୍ୟତଃ ୪ କେ.ଜି ବିଶିଷ୍ଟ ହୋଇଥିବାବେଳେ ଏଥିରେ ଶୁଦ୍ଧ ରାଶିତେଲ, ବେଣା ଚେର ଏବଂ ବିଭିନ୍ନ ସୁଗନ୍ଧିତ ଫୁଲ ଯେପରିକି ଜୁଇ, ଯାଇ ଏବଂ ମଲିର ମିଶ୍ରଣ ରହିଥାଏ । ପ୍ରତ୍ୟେକ ବର୍ଷଏହି ସମସ୍ତ ଦ୍ରବ୍ୟକୁ ଏକ ମାଟି ପାତ୍ରରେରଖି ଉପରେ ମାଟିରେ ଆବରଣ କରାଯାଇ ହେରା ପଞ୍ଚିମିଠାରୁ ସ୍ନାନ ପୁର୍ଣ୍ଣମୀ ପର୍ଯ୍ୟନ୍ତ ମାଟି ତଳେ ରଖିଦିଆଯାଏ । ଏହା ପରେ ଉକ୍ତ ତେଲକୁ ମାଟି ତଳୁ ବାହାରକରି ମନ୍ଦିରକୁ ପଠାଇଦିଆଯାଇଥାଏ । ଫୁଲୁରି ତେଲକୁ ଠାକୁରଙ୍କ ସର୍ବାଙ୍ଗରେ ଲଗାଯିବା ପରେ ସେମାନଙ୍କୁ ଅର୍ଦ୍ଧ କଠିନ ଖାଦ୍ୟକୁ ପ୍ରସାଦ ହିସାବରେ ଲଗାଯାଇଥାଏ କିନ୍ତୁ ଏହା ପୂର୍ବରୁ ଅଣସର ସମୟରେ ଠାକୁର ମାନଙ୍କୁ କେବଳ ତରଳ ଖାଦ୍ୟ ଅର୍ପଣ କରାଯାଇଥାଏ । କାରଣ ଫୁଲୁରି ସେବା ପରେ ଠାକୁର ଆସ୍ତେ ଆସ୍ତେ ସୁସ୍ଥ ହେବାରେ ଲାଗନ୍ତି । ଏହି ସେବାରେ ପାଖାପାଖି ୧୬୫ ଜଣ ସେବାୟତ ନିୟୋଜିତ ଥାଆନ୍ତି ।
ଅଣସର ପରେ ଠାକୁର ସୁସ୍ଥ ହୋଇଗଲେ ଭକ୍ତ ମାନଙ୍କୁ ନବଯୌବନ ରୂପରେ ଦର୍ଶନ ଦେଇଥାଆନ୍ତି ତାପରେ ଆରମ୍ଭ ହୋଇଯାଏ ନବ ଦିନ ବ୍ୟାପି ପୃଥିବୀ ପ୍ରଶିଦ୍ଧ ରଥ ଯାତ୍ରା ତଥା ମହାପ୍ରଭୁଙ୍କର ଘୋଷ ଯାତ୍ରା ।


Share It

Comments are closed.