ଅମିତ ଶାହାଙ୍କ ଦୃଢକ୍ତି ରାମ ମନ୍ଦିର ନିର୍ମାଣ ସୁନିଶ୍ଚିତ


ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଉଠୁ ଥିବା ବିବାଦ ଉପରେ ପୁନଃଛେଦ ଲଗାଇଛନ୍ତି । ହାଇଦ୍ରାବାଦରେ ନିଜ ଦଳର ନେତା ମାନଙ୍କ ସହିତ ହେଉଥିବା ଏକ ବୈଠକରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣର କାର୍ଯ୍ୟ ନିଶ୍ଚିତ ଆରମ୍ଭ ହେବ । ଅମିତ ଶାହାଙ୍କର ଏହି ଦୃଢକ୍ତି ପରେ ରାମ ମନ୍ଦିର ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ସେପଟେ ବିଜେପିର ବରିଷ୍ଠ ନେତା ଏହି ସଂପର୍କରେ ମୁହଁ ଖୋଲୁ ନଥିବାବେଳେ ଅମିତ ଶାହାଙ୍କର ଏହି ବୟାନ ପୁଣି ଥରେ ହିନ୍ଦୁ ମସୁଲିମ ମଧ୍ୟରେ ସାମ୍ପ୍ରଦାୟିକତା ସୃଷ୍ଟି କରିବାର ଖୋରାକ ଯୋଗାଉଛି ।
ଶୁକ୍ରବାର ହାଇଦ୍ରାବାଦରେ ହେଉଥିବା ବିଜେପିର ଦଳୀୟ ବୈଠକରେ ଅମିତ ଶାହା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣକୁ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ଅମିତ ଶାହା କହିବା ମୁତାବକ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଲାଗୁଛି ଯେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ବିଜେପିର ରାଜ୍ୟ କାର୍ଯ୍ୟକାରୀଣର ସଦସ୍ୟ ପି. ସେକରାଜ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏକ ଦିନିଆ ଗସ୍ତରେ ଆସିଥିବା ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଦେଶରେ ସମୟ ପୂର୍ବରୁ ନିର୍ବାଚନ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ।
ପ୍ରକାଶ ଥାଉକି ବିଜେପିର ଅନେକ ନେତାମାନେ ରାମ ମନ୍ଦିର ନିର୍ମାଣ ସଂପର୍କରେ ଅନେକ ମତଦେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳର ଆଭିମୁଖ୍ୟ କ’ଣ ସ୍ପଷ୍ଟ ହୋଇପାରି ନାହିଁ । ପୂର୍ବତ୍ତନ ସାଂସଦ ତଥା ରାମ ଜନ୍ମ ଭୂମି ସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତ୍ତା ଡଃ. ରାମ ବିଳାସ ଦାସ ବେଦାନ୍ତି କହିଛନ୍ତି ଯେ, ଯଦି ବିଜେପି ରାମ ମନ୍ଦିର ନିର୍ମାଣ କରିପାରିବ ନାହିଁ ତେବେ ଦଳର ପରାଜୟ ସୁନିଶ୍ଚିତ । ସେ କହିଛନ୍ତି ନିର୍ବାଚନ ସମୟରେ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣର ପ୍ରତିଶୃତି ଦେଇ ଲୋକଙ୍କ ଠାରୁ ଭୋଟ ଭିକ୍ଷା କରିଥିଲେ, ଯାହା ଫଳରେ ବିଜେପି ଉତ୍ତର ପ୍ରଦେଶରେ ରେକର୍ଡ ମୁତାବକ ଆସନ ପାଇଥିଲେ । ସେଥିପାଇଁ ବିଜେପି ଯଦି ରାମ ମନ୍ଦିର ନିର୍ମାଣ କରିବାରେ ଅସମର୍ଥ ରହେ ତେବେ ତାର ପରାଜୟ ସୁନିଶ୍ଚିତ ।


Share It

Comments are closed.