ଆଠଗଡରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଭିତ୍ତିଭୂମି ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ


ଭୁବନେଶ୍ୱର : ଆଠଗଡ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ଉନ୍ନତି ଓ ଭିତ୍ତିଭୂମିର ବିକାଶ କରି ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଉତ୍ତମ ମାନର ବିଦ୍ୟୁତସେବା ଯୋଗାଇଦେବା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।
କୃଷି ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଦ୍ୟୁତ ସରବରାହ ବ୍ୟବସ୍ଥା ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ମାଧପୁର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ୧୧ କେଭି ଫିଡର ଏବଂ କନ୍ଦରପୁର ଫିଡରକୁ ଯଥାଶୀଘ୍ର ପରିବର୍ଦ୍ଧିତ ଓ ସୁଦୃଢ କରାଯିବ ।
ସେହିପରି ଅଂଶୁପା ରୋଡ ଏବଂ ମାରୁଗୋଠକୁ ସଂଯୁକ୍ତ କରିବା ନିମନ୍ତେ ଏକ ନୂତନ ୧୧ କେଭି ଫିଡର ଆସନ୍ତା ୬ ମାସ ମଧ୍ୟରେ ନିର୍ମାଣ କରାଯିବ । ବୈଠକର ସୂଚନା ଅନୁଯାୟୀ ଆଠଗଡ ଏନଏସି ଅଞ୍ଚଳରେ ନିରନ୍ତର ବିଦ୍ୟୁତ ଯୋଗାଣ ନିମନ୍ତେ ଆଠଗଡ ଫିଡରରୁ ଗ୍ରାମାଞ୍ଚଳକୁ ବିଦ୍ୟୁତ ଯୋଗାଣ ପୃଥକୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ସେହିପରି ଗୁରୁଡିଝାଟିଆରେ ଉଚ୍ଚ କ୍ଷମତାସଂପନ୍ନ ଟ୍ରାନ୍ସଫର୍ମର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନଗୁଡିକୁ ଉନ୍ନତ ମାନର ବିଦ୍ୟୁତ ଯୋଗାଣ ନିମନ୍ତେ ପୁରୁଣା ବିଦ୍ୟୁତ ଲାଇନର ନବୀକରଣ କାର୍ଯ୍ୟ ସମାପ୍ତ ହୋଇଛି । ଏଥି ସହିତ ବୈଠକରେ ଖୁଣ୍ଟୁଣି ଗ୍ରୀଡ ସବଷ୍ଟେସନର କ୍ଷମତା ବୃଦ୍ଧି କରାଯିବା ପାଇଁ ଓପିଟିସିଏଲର ସିଏମଡି ଶ୍ରୀ ଏସ.କେ ମିଶ୍ର ପ୍ରସ୍ତାବ ଦେଇଥିଲେ ।
ଆଠଗଡ ଏନଏସିର ସମସ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଷ୍ଟ୍ରିଟଲାଇଟ ବ୍ୟବସ୍ଥା ନିମନ୍ତେ ଆସନ୍ତା ୩ ଦିନ ମଧ୍ୟରେ ଆଠଗଡ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବ୍ୟୟ ଅଟକଳ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥି ସହିତ ଆଠଗଡ ଓ ତିଗିରିଆ ବ୍ଲକରେ ବୃଦ୍ଧି ପାଉଥିବା ବିଦ୍ୟୁତ ଚାହିଦାକୁ ମେଣ୍ଟାଇବା ପାଇଁ ବର୍ତ୍ତମାନର ଟ୍ରାନ୍ସଫର୍ମରକୁ ଫରିବର୍ଦ୍ଧିତ କରିବା ଓ ଅତିରିକ୍ତ ଟ୍ରାନ୍ସଫର୍ମର ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତିଗିରିଆ ବ୍ଲକର ୯ଟି ଗ୍ରାମପଞ୍ଚାୟତରେ ଷ୍ଟିଟଲାଇନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି ଓ ବାକିଥିବା ଷ୍ଟ୍ରିଟଲାଇଟ ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏଥି ସହିତ ବୈଠକରେ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକରେ ବିଦ୍ୟୁତ ସଂଯୋଗ, ପାଚେରୀ ନିର୍ମାଣ, ନାରଙ୍ଗବସ୍ଥା, କଖଡି, ସର୍ପେଶ୍ୱର, କୁମାରପୁର ଏବଂ ଗୁରୁଡିଝାଟିଆ ଅଞ୍ଚଳରେ ନିରବିଚ୍ଛନ୍ନ ବିଦ୍ୟୁତ ସରବରାହ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା ହୋଇଥିଲା । ଧବଳେଶ୍ୱରଠାରେ ମହାନଦୀରେ ପୋଲ ନିର୍ମାଣ ନିମନ୍ତେ ଏକ ଯୁଗ୍ମ କମିଟି ଦ୍ୱାରା ସର୍ଭେ କରାଯାଇ ବିଦ୍ୟୁତ ଲାଇନ ଏବଂ ସବଷ୍ଟେସନର ସ୍ଥାନାନ୍ତରଣ କାର୍ଯ୍ୟ ନିମନ୍ତେ ଆସନ୍ତା ଏକ ମାସ ମଧ୍ୟରେ ଡିପିଆର ଚୂଡାନ୍ତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା ।
ବୈଠକରେ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏସ କେ ମିଶ୍ର, ଓପିଟିସିଏଲର ନିର୍ଦ୍ଦେଶକ (ଅପରେସନ) ଶ୍ରୀ ୟୁ କେ ପତି, ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଲିପସା ଦାସଙ୍କ ସମେତ କଟକ ଓ ଆଠଗଡ ବିଦ୍ୟୁତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ରୁରାଲ ୱାର୍କସ, କଟକର ଅଧୀକ୍ଷଣ ଯନ୍ତ୍ରୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଆଠଗଡର ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.