ଓଡିଶା ପରେ ମହାରାଷ୍ଟ୍ର,ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଲକଡାଉନ୍‍ ଅବଧି ଅପ୍ରେଲ ୩୦ ପର୍ଯ୍ୟନ୍ତ ବୃଦ୍ଧି


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ମଧ୍ୟ ଲକ୍‍ଡାଉନ୍‍ ମିଆଦକୁ ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶନିବାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କାଳରେ ଶ୍ରୀ ଠାକରେ ଲକ୍‍ଡାଉନ୍‍ ଅବଧି ବଢ଼ାଇବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ପୂର୍ବରୁ ଓଡ଼ିଶା ଓ ପଞ୍ଜାବ ସରକାର ଲକ୍‍ଡାଉନ୍‍ ମିଆଦକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି ।

ତେଲେଙ୍ଗାନା ସରକାର ଲକ୍‍ଡାଉନ୍‍ ମିଆଦକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶନିବାର ରାଜ୍ୟ କ୍ୟାବିନେରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି ମହାରାଷ୍ଟ୍ର ସହିତ ସଂଲଗ୍ନ ସୀମାନ୍ତକୁ ସଂପୂର୍ଣ୍ଣ ବନ୍ଦ କରାଯିବ। ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ହାଇଦ୍ରାବାଦ ଏବଂ ସିକନ୍ଦରାବାଦରେ ୧୨୩ଟି କଣ୍ଟେନମେଣ୍ଟ ଜୋନ୍‍ ସମେତ ରାଜ୍ୟରେ ସମୁଦାୟ କଣ୍ଟନମେଣ୍ଟ ଜୋନ୍‍ ସଂଖ୍ୟା ୨୪୩କୁ ବୃଦ୍ଧି କରାଯାଇଛି । ଇତିମଧ୍ୟରେ ତେଲେଙ୍ଗାନାରେ ଆଉ ୧୬ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦୩କୁ ବୃଦ୍ଧିପାଇଛି । ଗତକାଲି କୋଭିଡ-୧୯ରେ ଆଉ ୨ ଜଣଙ୍କର ପ୍ରାଣହାନି ଘଟିବା ପରେ ରାଜ୍ୟରେ ସମୁଦାୟ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ମଧ୍ୟରୁ ସମୁଦାୟ ୯୬ଜଣ ଆରୋଗ୍ୟଲାଭ କରିଥିବା ଜଣାପଡିଛି। ପୃଥକବାସରେ ଥିବା ୨୫ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଛାଡି ଦିଆଯାଇଛି ।
ସେହିପରି ପଶ୍ଚିମବଙ୍ଗ ସରକାର ଲକ୍‍ଡାଉନ୍‍ ଅବଧିକୁ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ଜୁନ୍‍ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୬ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୫କୁ ବୃଦ୍ଧି ପାଇଛି ।


Share It

Comments are closed.