ସଂସଦ ଆକ୍ରମଣକୁ ପୁରିଲା ୨୧ ବର୍ଷ, ସହିଦ୍‌‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅନେକ ବିଶିଷ୍ଟ ନେତା


ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ୨୦୦୧ ମସିହା ଡିସେମ୍ବର ୧୩ରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ଏବଂ ଜୈସେ ଏ ମୋହମ୍ମଦ ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରିଥିଲେ। ଆଜି ଉପରାଷ୍ଟ୍ରତି ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନେକ ନେତା ୨୦୦୧ ସଂସଦ ଆକ୍ରମଣର ସହିଦ୍‌‌ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟସଭା ନେତା ପୀୟୁଷ ଗୋଏଲ, ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ସହିଦ୍‌‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଏକ ଟ୍ୱିଟରେ କହିଛନ୍ତି, ୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଆମେ କେବେ ବି ସେମାନଙ୍କ ସେବା, ବୀରତ୍ୱ ଓ ବଳିଦାନକୁ ଭୁଲି ପାରିବା ନାହିଁ। ସୂଚନାଯୋଗ୍ୟ, ଏହି ଆକ୍ରମଣରେ ଦିଲ୍ଲୀ ପୁଲିସର ୫ ଜଣ ସୁରକ୍ଷା ଅଧିକାରୀ, ସିଆରପିଏଫର ଜଣେ ମହିଳା କନେଷ୍ଟବଳ ସଂସଦର ୨ ଜଣ ସୁରକ୍ଷାକର୍ମୀ, ଜଣେ ମାଳି ଓ ଜଣେ ଫଟୋ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା।


Share It

Comments are closed.