ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

୧୬୦୦ ଚାରା ରୋପଣ


ନରେନ୍ଦ୍ରପୁର, ୫ ଜୁନ୍ ୨୦୨୩: ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା ବିଷୟ ‘୰ବିଟ୍ ଦି ପ୍ଲାଷ୍ଟିକ୍‌’ ଅନୁସାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ୨୦୨୩ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀ କାରଖାନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଟିଏସ୍‌ଏମ୍‌ର ଦୀର୍ଘସ୍ଥାୟୀ ମାସ ପାଳନର ଅଂଶ ସ୍ୱରୂପ ବିଭିନ୍ନ ପ୍ରକାର ଅଭିଯାନ ଗ୍ରହଣ କରାଯାଇଛି ।
ଟିଏସ୍‌ଏମ୍ ହାଉସିଂ କଲୋନିରେ ଅନୁଷ୍ଠିତ ଏକ ପୁରସ୍କାର ସମାରୋହ ସହ ଏହି କାର୍ଯ୍ୟକ୍ରମର ସମାପନ ଘଟିଥିଲା । ଏହି ସପ୍ତାହ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିଯାନରେ କର୍ମଚାରୀ ଓ ଅଂଶୀଦାରମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ଏହି କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପୋଷ୍ଟର, ଫଟୋଗ୍ରାଫି ଓ କୁଇଜ୍ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୁରସ୍କାର ସମାରୋହରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ (ଓଏସ୍‌ପିସିବି)ର ଆଂଚଳିକ ଅଧିକାରୀ ଡକ୍ଟର ଅନୁପ ମଲ୍ଲିକ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି-ଅପରେସନ୍ସ ତଥା ନିଉ ମ୍ୟାଟେରିଆଲ ବିଜନେସ୍ ଓ ଗ୍ରାଫିନି ସୁବୋଧ ପାଣ୍ଡେ ଓ ଟିଏସ୍‌ଏମ୍‌ର ମୁଖ୍ୟ-ସେୟାରଡ୍ ସର୍ଭିସେସ୍ ବେଦ ପ୍ରକାଶ ଠାକୁର ଯୋଗ ଦେଇଥିଲେ । ପୂର୍ବରୁ ଅନୁ୍‌ଷ୍ଠିତ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ସଭାକୁ ସମ୍ବୋଧିତ କରିଥିଲେ ।
କଂପାନିର ହାଉସିଂ କଲୋନି ଫାଟକ ବାହାରେ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା ।
ଆୟୋଜିତ ‘ଗ୍ରିନାଥନ୍‌’ରେ ୩୦୦ରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରି ପ୍ଲାକାର୍ଡ ଧରି ଓ ପାମ୍ପଲେଟ୍ ବଂଟନ କରି ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ସଚେତନତା ସୃଷ୍ଟି କରିଥିଲେ । ଏଥି ସହିତ “ମିସନ ଲାଇଫ୍ ଓ ସଲିଡ୍ ୱେଷ୍ଟ୍ ମ୍ୟାନେଜମେଂଟ୍‌” ଉପରେ ଏକ ସଚେତନତା ଅଧିବେଶନ କର୍ମଚାରୀମାନଙ୍କ ଲାଗି ଆୟୋଜନ କରାଯାଇଥିଲା ଯେଉଁଥିରେ ଡକ୍ଟର ଅନୁପ ମଲ୍ଲିକ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ଦୀର୍ଘସ୍ଥାୟୀ ବର୍ଜ୍ୟ ପରିଚାଳନା ପ୍ରଥା ଉପରେ ଲୋକମାନଙ୍କୁ ଅବଗତ କରିଥିଲେ ।
ପୁନଃବନୀକରଣ ଉଦ୍ୟମ ପ୍ରତି ଯୋଗଦାନ ସ୍ୱରୂପ ହିନ୍ଦୋଳ ବ୍ଲକ୍‌ର ବରହାମ୍ପୁର ଗ୍ରାମ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ଢେଙ୍କାନାଳ ବନ ଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ସୁବ୍ରତ ପାତ୍ର, ହିନ୍ଦୋଳ ବନ ଖଣ୍ଡର ରେଂଜ୍ ଅଧିକାରୀ ଲୋହିତ ରଥ, ଅନୁଗୁଳ ଏନର୍ଜି ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଶୈଳେଶ ବର୍ମା, ଟିଏସ୍‌ଏମ୍‌ର ପରିବେଶ ମୁଖ୍ୟ ଅନୁପ ଶ୍ରୀବାସ୍ତବ ଓ ସ୍ଥାନୀୟ ଗ୍ରାମବାସୀମାନେ ଯୋଗ ଦେଇ ଚାରା ରୋପଣ କରିଥିଲେ ।
ଏଥି ସହିତ କାରଖାନାର ବିଭିନ୍ନ ବିଭାଗ ବିଶ୍ୱ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜ ୟୁନିଟ୍‌ରେ ବୃକ୍ଷରୋପଣ କରିଥିଲେ, ଯାହା ଫଳରେ ୧୬୦୦ରୁ ଅଧିକ ଚାରା ରୋପଣ ହୋଇପାରିଥିଲା । ଏହା ବ୍ୟତୀତ ଶିବପୁର ଗ୍ରାମ ପଂଚାୟତର କରଡ଼ାଗାଡ଼ିଆରେ ଏକ ମାଇକ୍ରୋ କମ୍ପୋଷ୍ଟିଂ ୟୁନିଟ୍‌ର ଉଦ୍‌ଘାଟନ କରାଯାଇଥିଲା ।
ଟାଟା ଷ୍ଟିଲ୍ ପକ୍ଷରୁ ‘ନିରନ୍ତରତା ମାସ’ ଭାବେ ଜୁନ୍ ମାସ ରେ ଅନେକ କାର୍ଯ୍ୟକ୍ରମ ପାଳନ କରାଯିବ । ଏହି ମାସବ୍ୟାପୀ କାର୍ଯ୍ୟକ୍ରମର ଅଂଶ ଭାବେ ‘ପ୍ଲାଷ୍ଟିକ୍ ପ୍ରଦୂଷଣ ପାଇଁ ସ୍ମାର୍ଟ ସମାଧାନ’ ବିଷୟ ଉପରେ ସଚେତନତା କାର୍ଯ୍ୟକ୍ରମ, ୱେବିନାର ଓ ଅନଲାଇନ୍ କୁଇଜ ଆଦି ଆୟୋଜନ କରିବାର ଯୋଜନା ରହିଛି ।


Share It

Comments are closed.